ନୂଆଦିଲ୍ଲୀ: ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରୀନ ସୋମବାର ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି। ସେ ନିଜ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ଅମିତ ଶାହଙ୍କୁ ତାଙ୍କ ଭାରତୀୟ ବାସଭବନ ଅନୁମତିର ଅବଧିକୁ ନେଇ ସାହାଯ୍ୟ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ ମୁ ଭାରତରେ ରହିବାକୁ ବହୁତ ଭଲ ପାଏ କାରଣ ଭାରତ ହେଉଛି ମୋର ଦ୍ୱିତୀୟ ଘର। ୨୨ ଜୁଲାଇରେ ମୋର ଭାରତୀୟ ବାସଭବନ ଅନୁମତିର ଅବଧି ଶେଷ ହୋଇଛି ଏବଂ ଗୃହ ମନ୍ତ୍ରଣାଳୟ ଏହାକୁ ନବୀକରଣ କରୁନାହିଁ। କିନ୍ତୁ ମୋର ପରମିଟ୍ ନବୀକରଣ କରାଯାଉ ନ ଥିବାରୁ ବହୁତ ଚିନ୍ତିତ ଅଛି। ଯଦି ସରକାର ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତି ତେବେ ମୁଁ ଚିରୋପକୃତ ହେବି।’
ପ୍ରକାଶଥାଉ କି, ତସଲିମା ନସରୀନ ମୂଳତଃ ବାଂଲାଦେଶର ଜଣେ ବାସିନ୍ଦା ହୋଇଥିବା ବେଳେ ବାଂଲାଦେଶରେ ସାମ୍ପ୍ରଦାୟିକତା ଏବଂ ମହିଳା ସମାନତା ଉପରେ ଇସଲାମିକ ମୌଳବାଦୀମାନଙ୍କୁ ଲଗାତାର ସମାଲୋଚନା କରିବା କାରଣରୁ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା। ସାମ୍ପ୍ରଦାୟିକତାର କଠୋର ସମାଲୋଚନା ପାଇଁ ତଥା ଜଣେ ଲେଖିକା ଭାବରେ ସେ ବିଶ୍ବପ୍ରସିଦ୍ଧ ହୋଇଥିବା ବେଳେ ତାଙ୍କ ଲେଖାରୁ ନିର୍ଭୀକତା ବାରି ହୋଇପଡେ । ତେବେ ବାଂଲାଦେଶରୁ ବାହାରିଯିବା ପରେ ୧୯୯୪ ମସିହାରୁ ସେ ଭାରତରେ ରହୁଥିଲେ। କିନ୍ତୁ ଜୁଲାଇ ୨୨ ଠାରୁ ଭାରତୀୟ ବାସଭବନ ଅନୁମତି ସମାପ୍ତ ହୋଇଛି। ବାଂଲାଦେଶ ଛାଡିବା ପରଠାରୁ ସେ ଭାରତ ବ୍ୟତୀତ ସେ ସ୍ୱିଡେନ୍, ଜର୍ମାନୀ, ଫ୍ରାନ୍ସ ଓ ଆମେରିକାରେ ଜୀବନ ବିତାଉଛନ୍ତି।
ତସଲିମାଙ୍କ ରଚିତ ପୁସ୍ତକ ମଧ୍ୟରେ ‘ଲଜ୍ଜା’ (୧୯୯୩), ‘ଅମର ମାଏବେଲା’ ଇତ୍ୟାଦି ପ୍ରସିଦ୍ଧ। ତସଲିମାଙ୍କ ରଚିତ ପୁସ୍ତକ ଇଂରାଜୀ, ଫ୍ରେଞ୍ଚ, ଇଟାଲୀ, ସ୍ପେନିଶ, ଜର୍ମାନ ସମେତ ପ୍ରାୟ ତିରିଶଟି ଭାଷାରେ ଅନୁବାଦିତ ହୋଇଛି।