ନୂଆଦିଲ୍ଲୀ, ୨୬/୧୦: ନିକଟରେ ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ର ହୋଇଥିବା ବେଳେ ଶନିବାର ପୁଣି ଏକ ରେଳ ଦୁର୍ଘଟଣା ଷଡ଼ଯନ୍ତ୍ରରୁ ବର୍ତ୍ତିଯାଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ ଏକ ରେଳ ଷ୍ଟେସନ ନିକଟରେ ବରେଲି-ବାରଣାସୀ ଏକ୍ସପ୍ରେସ୍ ସହ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଶନିବାର ଉତ୍ତରପ୍ରଦେଶସ୍ଥିତ ଲକ୍ଷ୍ନୌ ନିକଟରେ ଥିବା ମଲିହାବାଦ ରେଳ ଷ୍ଟେସନ ଧାରଣା ଉପରେ ଷଡଯନ୍ତ୍ର ହୋଇଥିବା ଏକ ରେଳ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଏହି ଷ୍ଟେସନରେ ପ୍ରାୟ ୬ କେଜି ଓ ୨ ଫୁଟ ଓଜନର ଏକ କାଠ ଗଣ୍ଡି ଦ୍ୱାରା ଟ୍ରେନ୍ କୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ତେବେ ଏହି ଟ୍ରେନ୍ ସେହି ସ୍ଥାନରେ ପହଞ୍ଚିବା ମାତ୍ରେ ଟ୍ରେନ୍ ତଳେ କାଠ ଗଣ୍ଡି ଫସି ଯାଇଥିଲା। ସେହି ସମୟରେ ଲୋକୋପାଇଲଟ ସତର୍କତା ଦେଖାଇ ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ ଯାହାଦ୍ୱାରା ଟ୍ରେନଟି ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ତେବେ ଏ ସମ୍ପର୍କରେ ସୂଚନା ପାଇ ତୁରନ୍ତ ରେଳବାଇ ଅଧିକାରୀ ଓ ଷ୍ଟେସନ ମାଷ୍ଟର ଘଟଣାସ୍ଥଳରେ ପହଂଚି ଉଭୟ ଟ୍ରାକ୍ ର ବ୍ୟାପକ ଯାଞ୍ଚ କରାଇଥିଲେ । ସେହି ସମୟରେ ଅପ ଟ୍ରାକ୍ରେ ମଧ୍ୟ ଏକ କାଠ ଗଣ୍ଡି ଦେଖିବା ପରେ କର୍ତ୍ତୃପକ୍ଷ ଟ୍ରାକ୍ରୁ ବ୍ଲକ୍ ହଟାଇ ଟ୍ରାକ୍କୁ କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।
ଅପରପକ୍ଷରେ ଏହି ଘଟଣା ପାଇଁ ପାଖାପାଖି ୨ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା । ଏହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଘଟଣାକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଥିବା ବେଳେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ରେଳବାଇ କର୍ତ୍ତୃପକ୍ଷ ମଲିହାବାଦ ରେଳ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଷଡ଼ଯନ୍ତ୍ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏ ସମ୍ପର୍କରେ ତଦନ୍ତ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।