ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୫ । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଖେଳିବେ ସେନେଇ ଦୀର୍ଘ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଧୋନୀ ତାଙ୍କ ପ୍ରଶଂସକଙ୍କ ଆଶଂକା ଦୂର କରିଛନ୍ତି । ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କର ଖେଳାଳି ରିଟେନସନ୍ ତାଲିକା ଜାରି କରିବାକୁ ଥିବା ବେଳେ ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରୋମୋଶନାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜେ ଧୋନୀ ଏହି ଦ୍ବନ୍ଦ୍ବ ଦୂର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନିକଟରେ ଧୋନି ଏକ ସଫ୍ଟୱେୟାର ବ୍ରାଣ୍ଡ ରିଗି ପାଇଁ ଆୟୋଜିତ ଏକ ପ୍ରମୋସନାଲ ଇଭେଣ୍ଟରେ କହିଛନ୍ତି ଯେ, ‘‘ଆଗାମୀ କିଛି ବର୍ଷ ପାଇଁ କ୍ରିକେଟ୍ ଖେଳିବା ପାଇଁ ମୁଁ ନିଜକୁ ଉତ୍ତମ ଭାବେ ଗଢ଼ିବାକୁ ଚାହେଁ। ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି।’’ ଏହାସହିତ ଧୋନି ଏହି କାର୍ଯ୍ୟକ୍ରମରେ କହିଛନ୍ତି ଯେ, “ଯଦି ଆପଣ କ୍ରିକେଟକୁ ଉପଭୋଗ କରି ଖେଳୁଛନ୍ତି, ତେବେ ଉଭୟ ଖେଳାଳି ଓ ଟିମକୁ ଏହାର ଫାଇଦା ମିଳିଥାଏ। ମୁଁ ଏବେଠାରୁ କ୍ରିକେଟକୁ ଆହୁରି ଅଧିକା ଉପଭୋଗ କରିବାକୁ ଚାହୁଁଛି। ବୃତ୍ତିଗତ ଖେଳାଳି କେବେ ମଧ୍ୟ ଏହାକୁ ଉପଭୋଗ କରିପାରିନଥାନ୍ତି। କାରଣ ସେମାନଙ୍କ ସହ ସେଠାରେ ପ୍ରତିବଦ୍ଧତା ଏବଂ ଭାବନା ଜଡିତ ଥାଏ। କିନ୍ତୁ, ମୁଁ ଆଉ ବୃତ୍ତିଗତ ନୁହେଁ। ମୁଁ ଏହି ସବୁକୁ ଅଲଗା ରଖି ପରବର୍ତ୍ତୀ ନଅ ମାସ ନିଜକୁ ଫିଟ୍ ରଖିବାକୁ ଚାହୁଁଛି। ଏହି ସମୟ ମଧ୍ୟରେ ମୋତେ ମୋ ଖେଳ ଜୀବନକୁ ଉପଭୋଗ କରିବାକୁ ପଡିବ।” ତେବେ ଧୋନୀଙ୍କର ଏହି ମନ୍ତବ୍ୟରୁ ଅନେକାଂଶରେ ସ୍ପଷ୍ଟ ହୋଇଛି ଯେ ସେ କେବଳ ୨୦୨୫ ମସିହା ନୁହେଁ ବରଂ ଆଗାମୀ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବା ସମ୍ଭାବନା ରହିଛି। ତେବେ ଧୋନୀ ଆଗାମୀ ଦିନରେ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଧୋନିଙ୍କ ମନ୍ତବ୍ୟ ଗୁଜବରେ ପରିଣତ କରିଛି।