ମୁମ୍ବାଇ: ନିକଟରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ୧୧୩ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଅନେକ ଦିନ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ମାଟିରେ ଟେଷ୍ଟ ସିରିଜ ପରାଜୟ ସାମ୍ନା କରିଥିବା ବେଳେ ବିସିସିଆଇ ପକ୍ଷରୁ ଆଉ ଏକ ଘୋଷଣା କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଆଗକୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୦ ସିରିଜ ପାଇଁ ଟିମ୍ ଘୋଷଣା ହୋଇ ସାରିଥିବା ବେଳେ ଭିଏସଏସ ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି ବିସିସିଆଇ।
ସୂଚନା ଅନୁସାରେ, ନଭେମ୍ବର ମାସରେ ଗୌତମ ଗମ୍ଭୀର ବର୍ଡ଼ର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଗସ୍ତ କରିବେ। ତେଣୁ ତାଙ୍କ ସ୍ଥାନରେ ଟି-୨୦ ସିରିଜ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ନିଯୁକ୍ତ କରାଯିବା ନେଇ କ୍ରିକବଜକୁ ସୂଚନା ଦେଇଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ।
ଅପରପକ୍ଷରେ, ଆସନ୍ତା ନଭେମ୍ବର ୮, ୧୦, ୧୩ ଏବଂ ୧୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୪ଟି ଟି ୨୦ ସିରିଜ ଖେଳାଯିବାକୁ ଥିବା ବେଳେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ କାର୍ଯ୍ୟରତ ସାଇରଜ ବାହୁମାନ (ମୁଖ୍ୟ ପ୍ରଶିକ୍ଷକ), କାନିତକର (ବ୍ୟାଟିଂ କୋଚ୍) ଏବଂ ସୁଭଦୀପ ଘୋଷ (ଫିଲ୍ଡିଂ କୋଚ୍)ଙ୍କ ପରି କୋଚିଂ କର୍ମଚାରୀ ଲକ୍ଷ୍ମଣଙ୍କ ଅଧୀନରେ ଦଳରେ ଯୋଗ ଦେବ। । ଦକ୍ଷିଣ ଆଫ୍ରିକାର ଡର୍ବାନ, ଗାବେରା, ସେଞ୍ଚୁରିଆନ ଏବଂ ଜୋହାନ୍ସବର୍ଗରେ ୪ଟି ଯାକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ ।
ମ୍ୟାଚର କାର୍ଯ୍ୟସୂଚୀ ସ୍ଥିର ହେବାପରେ ଗୌତମ ଗମ୍ଭୀର ଦକ୍ଷିଣ ଆଫ୍ରିକା ଯାତ୍ରା ସମୟରେ ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ମିଳିଥିଲା। କାରଣ ଟି-୨୦ ସିରିଜ ସମୟରେ ନଭେମ୍ବର ୧୦-୧୧ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଏହି ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆଗରୁ ଧାର୍ଯ୍ୟ ହୋଇନଥିଲା। ନିକଟରେ ବିସିସିଆଇ ଏବଂ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହାର ଆୟୋଜନ କରିବାକୁ ବ୍ୟବସ୍ଥା କରାଯାଇଥିଲା।
ପ୍ରକାଶଥାଉ କି, ଗତ ଅକ୍ଟୋବର ୨୫ରେ ଚାରିଟି ଟି -୨୦ ପାଇଁ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବିସିସିଆଇ ପକ୍ଷରୁ ଏକ ୧୫ ଜଣିଆ ଦଳ ଘୋଷଣା ହୋଇଛି । ଏହି ଦଳରେ ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ଉଇକେଟ ରକ୍ଷକ), ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା (ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ, ବିଜୟଦେବ ସିଂ, ଆବେଶ ଖାନ, ୟଶ ଦୟାଲ ସ୍ଥାନ ପାଇଛନ୍ତି।