ରାଞ୍ଚି: ଖୁବଶୀଘ୍ର ଝାଡ଼ଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ନିର୍ବାଚନୀ ପ୍ରଚାର ପାଇଁ ପୁଣିଥରେ ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମେଗା ରୋଡ୍ ଶୋ’ କରିବା ଉଦ୍ଦେଶ୍ୟରେ ଏହି ଗସ୍ତରେ ଥିବା ସୂଚନା ମିଳିଛି। ମୋଦୀଙ୍କ ଏହି ରୋଡ ଶୋ’ ମାଧ୍ୟମରେ ଝାଡ଼ଖଣ୍ଡରେ ବିଜେପି ଶକ୍ତି ପ୍ରଦର୍ଶନ କରିବା ନେଇ ସୂଚନା ମିଳିଥିବା ବେଳେ ରୋଡ୍ ଶୋ’ ସମୟରେ ୫୦୧ ଜଣ ବ୍ରାହ୍ମଣ ଶଙ୍ଖ ବଜାଇବା କାର୍ଯ୍ୟକ୍ରମ ରହିଛି। ଏହି ସମ୍ପର୍କରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିରେ ତିନି କିଲୋମିଟର ଦୀର୍ଘ ଏକ ଐତିହାସିକ ରୋଡ୍ ଶୋ’ କରିବେ, ଯେଉଁଥିରେ ବହୁ ସଂଖ୍ୟକ ଲୋକ ଆସିବେ ବୋଲି ଆଶା କରାଯାଉଛି। ତେବେ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ।’
ସୂଚନାଯୋଗ୍ୟ ଯେ, ଆଗାମୀ କିଛି ଦିନ ମଧ୍ୟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରବିବାର ଝାଡ଼ଖଣ୍ଡ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ରାଞ୍ଚିଠାରେ ରୋଡ଼ ଶୋର ଆୟୋଜନ କରାଯାଇଛି। ସନ୍ଧ୍ୟା ୫.୧୫ଟାରେ ଓଟିସି ଗ୍ରାଉଣ୍ଡରୁ ନୂଆ ମାର୍କେଟ ଛକ ପର୍ଯ୍ୟନ୍ତ ରୋଡ଼ ଶୋ କାର୍ଯ୍ୟକ୍ରମ ଥିବା ବେଳେ ଅପରାହ୍ନ ୧ଟାରେ ବୋକାରୋରେ ଏବଂ ୩.୧୫ଟାରେ ଗୁମଲାଠାରେ ସର୍ବସାଧାରଣଙ୍କୁ ସମ୍ବୋଧନ କରିବେ। ଏହି ସମୟରେ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରକାଶଥାଉ କି, ଗତ ସପ୍ତାହରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରିଥିଲେ। ତେବେ ଏହାର ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଚାଇବାସା ଏବଂ ଗଡ଼ୱାରେ ରାଲିକୁ ସମ୍ବୋଧିତ କରିବା ସହିତ ସୋରେନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଚାଇବାସା ରାଲିରେ ମୋଦୀ କହିଥିଲେ ଯେ, “ଝାଡ଼ଖଣ୍ଡରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେଲେ ଅନୁପ୍ରବେଶ ରୋକିବା ପାଇଁ ପଦକ୍ଷେପ ନିଆଯିବ ଏବଂ ଆଦିବାସୀ ମହିଳାଙ୍କ ଦଖଲ ହୋଇଥିବା ଜମି ଫେରାଇ ଆଣିବା ପାଇଁ ଆଇନ ପ୍ରଣୟନ କରାଯିବ।” ସେହିପରି ଦଳର ‘ରୁଟି, ବେଟି ଓ ମାଟି’ ସ୍ଲୋଗାନ ଉପରେ ଆଲୋକପାତ କରି ସେ କହିଥିଲେ ଯେ “ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବାକୁ ଲୋକେ ଚାହୁଁଛନ୍ତି। ସମଗ୍ର ଝାଡ଼ଖଣ୍ଡ ଏବେ କହୁଛି; ଝାଡ଼ଖଣ୍ଡର ବିଜେପି-ଏନ୍ ଡିଏ ସରକାର ରୋଟି, ବେଟି ଓ ମାଟିଙ୍କ ଆହ୍ୱାନ, ଯେତେବେଳେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଥିଲା, ସେତେବେଳେ ଅଟଳ ବିହାରୀ ବାଜପେୟୀଙ୍କୁ ଦିଲ୍ଲୀରେ ଦେଶ ସେବା କରିବାର ସୁଯୋଗ ମିଳିଥିଲା ଓ ସେହି ସମୟରେ ଝାଡ଼ଖଣ୍ଡ ଗଠନ ହୋଇଥିଲା।”