ନୂଆଦିଲ୍ଲୀ: ସୋମବାର ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ରବିବାର ଅବସର ଗ୍ରହଣ କରିଥିବାବେଳେ ଜଷ୍ଟିସ୍ ଖାନ୍ନା ତାଙ୍କ ସ୍ଥାନ ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ସହ ଜଡ଼ିତ ଥିବା ସର୍ବବରିଷ୍ଠ ବିଚାରପତି ଜଷ୍ଟିସ୍ ଖାନ୍ନାଙ୍କୁ ସୋମବାର ପୂର୍ବାହ୍ନ ୧୦ଟା ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିବା ସୂଚନା ମିଳିଛି। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୬ରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସୁପାରିସକ୍ରମେ ଜଷ୍ଟିସ ଖାନ୍ନାଙ୍କୁ ପରବର୍ତ୍ତୀ ସିଜେଆଇ ହେବା ନେଇ ଗତ ଅକ୍ଟୋବର ୨୪ ତାରିଖରେ କେନ୍ଦ୍ର ସରକାର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୫ ମେ ୧୩ ପର୍ଯ୍ୟନ୍ତ ହେବ। ଜଷ୍ଟିସ ଖାନ୍ନା ୨୦୧୯ ମସିହା ଜାନୁଆରୀରୁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ସୁପ୍ରିମକୋର୍ଟର ବିଭିନ୍ନ ପୀଠର ସଦସ୍ୟ ଭାବେ ଏକାଧିକ ଗୁରୁତ୍ବପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ଇଭିଏମ୍ର ବୈଧତା, ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ରଦ୍ଦ କରିବା, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅନ୍ତର୍ଭୁକ୍ତ।
ପ୍ରକାଶଥାଉ କି, ଜଷ୍ଟିସ ସଂଜୀବ ଖାନ୍ନା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦେବରାଜ ଖାନ୍ନାଙ୍କ ପୁଅ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଚଆର ଖାନ୍ନାଙ୍କ ପୁତୁରା ଅଟନ୍ତି। ତେବେ ସୋମବାର ସେ ଭାରତର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ କରିଛନ୍ତି ।