ପର୍ଥ: ଆସନ୍ତା ୨୨ରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ପ୍ରଥମ ଟେଷ୍ଟ ମ୍ୟାଚ ନଭେମ୍ବର ୨୨ରୁ ୨୬, ଦ୍ବିତୀୟ ଟେଷ୍ଟ ଡିସେମ୍ବର ୬ରୁ ୧୦, ତୃତୀୟ ଟେଷ୍ଟ ଡିସେମ୍ବର ୧୪ରୁ ୧୮ , ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ଓ ପଞ୍ଚମ ଟେଷ୍ଟ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ବର୍ଡର-ଗାଭାସ୍କର ଟ୍ରଫିର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ପୂର୍ବତନ ବ୍ୟାଟର ସୁନୀଲ ଗାଭାସ୍କର ଭାରତ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଏଣ୍ଟିଂ ଅଷ୍ଟ୍ରେଲିଆର ପ୍ରଶଂସା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଜାରି ହୋଇଥିବା ଭିଡିଓରେ ପ୍ରଥମେ ସୁନୀଲ ଗାଭାସ୍କର ଭାରତର ପ୍ରଶଂସା କରି କହିଛନ୍ତି ଯେ, ଭାରତରେ ଏବେ ପ୍ରତିଟି ସ୍ଥାନରେ କ୍ରିକେଟ ଖେଳ ଦେଖିବାକୁ ମିଳିଛି । ଏହାଛଡା ଭାରତ ପାଇଁ କ୍ରିକେଟର ଗୁରୁତ୍ବ ସମ୍ପର୍କରେ ସେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି। ସେହିପରି ପଣ୍ଟିଂ ଅଷ୍ଟ୍ରେଲିଆରେ କ୍ରିକେଟର ମହତ୍ତ୍ବ ସମ୍ପର୍କରେ କହି ଭାରତ ଭଳି ଅଷ୍ଟ୍ରେଲିଆର ଗଳିକନ୍ଦିରେ ମଧ୍ୟ କ୍ରିକେଟ ଖେଳାଯାଉଛି ବୋଲି କହିଛନ୍ତି ।
ପ୍ରକାଶଥାଉ କି, ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତ ପକ୍ଷରୁ ୧୮ଜଣିଆ ଦଳ ଘୋଷଣା ହୋଇଥିଲା । ଏହି ତାଲିକାରେ ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ଥିଲେ। କିନ୍ତୁ ସନ୍ତାନ ଜନ୍ମ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳୁନଥିବା ବେଳେ ଶୁବମନ ଗିଲ ଆହତ ହେବା ଯୋଗୁଁ ଟିମ ଅଡ଼ୁଆ ପରିସ୍ଥିତିରେ ପଡିଛି।