ନୂଆଦିଲ୍ଲୀ: ଯଥାଶୀଘ୍ର କାଶ୍ମୀରକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନ ଉଦ୍ଦମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗ (ୟୁଏସବିଆରଏଲ)ରେ କାଶ୍ମୀର-ନୂଆଦିଲ୍ଲୀକୁ ସଂଯୋଗ କରିବ । ଏହାକୁ ଆସନ୍ତା ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଏନେଇ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ସୂଚନା ଦେଇଛନ୍ତି। ୨୦୨୫ ଜାନୁଆରିରୁ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଜାତୀୟ ରାଜଧାନୀ ଦିଲ୍ଲୀ ସହ ସିଧାସଳଖ କାଶ୍ମୀରକୁ ସଂଯୋଗ କରିବ। ଏହା ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ରେଳ ପୋଲ ଦେଇ ଗତି କରିବ।
ସୂଚନାଯୋଗ୍ୟ ଯେ, ୟୁଏସବିଆରଏଲ ପ୍ରକଳ୍ପର ୨୭୨ କିଲୋମିଟର ମଧ୍ୟରୁ ରେଳବାଇ ୨୫୫ କିଲୋମିଟର କାମ ଶେଷ କରିଥିବା ବେଳେ କଟରାରୁ ରିଆସି ମଧ୍ୟରେ ମାତ୍ର ୧୭ କିଲୋମିଟରର ଏକ ଛୋଟ ଅଂଶ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀରେ ଉଦଘାଟନ ହେବ ବୋଲି ରବନୀତ ସିଂହ କହିଛନ୍ତି। ତେଣୁ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ରେଳ ବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଏ ସମ୍ପର୍କରେ ରେଳବାଇ ଅଧିକାରୀମାନେ କହିଛନ୍ତି ଯେ, ପ୍ରତ୍ୟେକ ଦିଗକୁ ବ୍ୟାପକ ସ୍ତରରେ ଯାଞ୍ଚ କରାଯାଉଛି ଏବଂ ଅଧିକାରୀ ଏବଂ ବୈଷୟିକ ଟିମ୍ ବାରମ୍ବାର ପରିଦର୍ଶନ କରୁଛନ୍ତି ଯାହା ଦ୍ୱାରା ସବୁକିଛି ମାନକ ଅନୁଯାୟୀ ଅଛି କି ନାହିଁ ତାହା ସୁନିଶ୍ଚିତ କରାଯାଉଛି। ଏହି ପ୍ରୋଜେକ୍ଟରେ ବହୁତ ପରିଶ୍ରମ କରାଯାଇଥିବା ବେଳେ ଏହା ଏକ ବଡ଼ ପଦକ୍ଷେପ। ତେଣୁ ସବୁ ଦିଗ ଯାଞ୍ଚ ହେବା ପରେ ହିଁ ଏହାର ଉଦଘାଟନ ତାରିଖ ସ୍ଥିର ହେବ।
ପ୍ରକାଶଥାଉ କି, କଟରାରୁ ଶ୍ରୀନଗରକୁ ରେଳ ସଂଯୋଗ ହେବା ମାତ୍ରେ ଏହି ରାସ୍ତାରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ମଧ୍ୟ ପ୍ରସ୍ତାବ ରହିଛି। ଚେନ୍ନାଇର ରେଳ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ବନ୍ଦେ ଭାରତ ଦେଶର ବିଭିନ୍ନ ସ୍ଥାନରେ ଟ୍ରାକ୍ରେ ରହିଥିବା ବେଳେ ଏହି ରୁଟ୍ରେ କମ୍ କୋଚ୍ ଟ୍ରେନ୍ ଚଳାଚଳ କରିବ।