ପୁରୀ : ଆସନ୍ତା ୪ ତାରିଖରୁ ଓଡିଶାଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ସେଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ହୀରକ ଜୟନ୍ତୀରେ ଯୋଗଦେଇ ରାଷ୍ଟ୍ରପତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁର୍ବେଦର ଅବଦାନ ବିଷୟରେ ଉଦ୍ବୋଧନ ଦେବେ। ସେଥିପାଇଁ ତିନିଦିନ ଧରି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁର୍ବେଦ ପର୍ବ ଅନୁଷ୍ଠିତ ହେବ। ଏଥିରେ ଆୟୁର୍ବେଦ ବିଶେଷଜ୍ଞଗଣ ଯୋଗଦେଇ ଜନସ୍ବାସ୍ଥ୍ୟରେ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବେ। ମହାବିଦ୍ୟାଳୟ ପରିସରରେ ୩ ଦିନ ଧରି ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ ବୋଲି ଅଧ୍ୟକ୍ଷ ଅରୁଣ କୁମାର ଦାସ କହିଛନ୍ତି। ଏହାଛଡା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଶବ୍ଦାବଳୀ’ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଆୟୁର୍ବେଦ, ହୋମିଓପାଥି, ଯୋଗ, ପ୍ରାଣାୟାମ ଚିକିତ୍ସାକୁ ନେଇ ଶିକ୍ଷାବିତ୍ ଆଲୋକପାତ କରିବେ। କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପୁରୀ ସାଂସଦ ଡାକ୍ତର ସମ୍ବିତ କୁମାର ପାତ୍ର ଏବଂ ବିଧାୟକ ସୁନିଲ କୁମାର ମହାନ୍ତି ଅତିଥି ଭାବେ ଯୋଗଦେବେ। ସେହିପରି ଦେଶବିଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ ଶହ ଆୟୁର୍ବେଦ ଡାକ୍ତର, କଲେଜର ପ୍ରାକ୍ତନ ଛାତ୍ରଛାତ୍ରୀ, ଅଧ୍ୟକ୍ଷ ଏବଂ ଅଧ୍ୟାପକ ଏହି ସମାରୋହରେ ଅଂଶଗ୍ରହଣ କରିବେ।