ଭୁବନେଶ୍ୱର: ଚଳିତବର୍ଷ ତିନି ଓଡ଼ିଆ କଳାକାରଙ୍କୁ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାରରେ ସମ୍ମାନିତ କରାଯିବ । ସେମାନେ ହେଲେ ଅରୂପା ଗାୟତ୍ରୀ ପଣ୍ଡା, ଦେବାଶୀଷ ପଟ୍ଟନାୟକ ଏବଂ ଆଲୋକ ବିଶୋଇ। ଶୁକ୍ରବାର ଡ. ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପିଆଇବି ସୂଚନା ଦେଇଛି। ଅପୂର୍ବାଙ୍କୁ ୨୦୨୨ ମସିହା ପାଇଁ ଓଡିଶୀ ନୃତ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ସେହିପରି ୨୦୨୩ ମସିହା ପାଇଁ ଓଡିଶୀ ନୃତ୍ୟରେ ଦେବାଶିଷ ପଟ୍ଟନାୟକଙ୍କୁ ଏବଂ ଲୋକ ନୃତ୍ୟ ଓ ବାଦ୍ୟ କ୍ଷେତ୍ରରେ ୨୦୨୩ ବର୍ଷପାଇଁ ଆଲୋକ ବିଶୋୟୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଗୀତ ଏକାଡେମୀର ଅଧ୍ୟକ୍ଷ ଡ. ସନ୍ଧ୍ୟା ପରିଚ୍ଛା ପରିଚାଳନା କରୁଥିବା ବେଳେ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଏହି ସମାରୋହରେ ଯୋଗ ଦେବେ।
ପ୍ରକାଶଥାଉ କି, ୨୦୦୬ ମସିହାରେ ଯୁବ କଳାକାରମାନଙ୍କୁ ସମ୍ମାନିତ କରିବା ପାଇଁ କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ସମ୍ମାନ କରାଯାଇଥିଲା। ଏଥିରେ ୪୦ ବର୍ଷରୁ ନିମ୍ନ ବୟସ୍କ ଅଭିଜ୍ଞ କଳାକାରମାନଙ୍କୁ ବିଭିନ୍ନ କଳା ଯଥା ସଂଗୀତ, ନୃତ୍ୟ, ଲୋକବାଦ୍ୟ, ଲୋକନୃତ୍ୟ, ଡ୍ରାମା ଓ କଣ୍ଢେଇ ନାଚ ଆଦି କ୍ଷେତ୍ର ପାଇଁ ସମ୍ମାନିତ କରାଯାଇଥାଏ। ଚଳିତ ବର୍ଷ ୮୨ ଜଣ କଳାକାରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଉଥିବା ବେଳେ ଏଥିମଧ୍ୟରେ ୩ ଜଣ ଓଡିଶା କଳାକାର ରହିଛନ୍ତି ।