ପର୍ଥ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ସମୟ ସକାଳ ୭.୩୦ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ସତ୍ତ୍ୱେ ଯଶପ୍ରୀତ ବୁମରାଙ୍କ ବୋଲିଂ ବାହିନୀ ଭାରତୀୟ ଟିମକୁ ଆଗେଇ ନେଇଥିଲା ।
ପ୍ରଥମ ଦିନରେ ୧୭ ୱିକେଟର ପତନ ଘଟିଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ୍ ହୋଇଥିଲା । ଏହାପରେ ମୈଦାନକୁ ଓହ୍ଲାଇ ଥିଲା ଅଷ୍ଟ୍ରେଲିଆ ଟିମ। ପ୍ରଥମ ଦିନରେ ଦଳ ୭ ୱିକେଟ୍ ବିନିମୟରେ ୬୭ ରନ କରିଥିବା ବେଳେ ଭାରତ ୮୩ ରନରେ ଆଗୁଆ ରହିଛି । ଆଲେକ୍ସ କେରି ୧୯ ରନ ଓ ମିଚେଲ୍ ଷ୍ଟାର୍କ ୬ ରନ କରି କ୍ରିଜରେ ଅପରାଜିତ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତିକୁ ବ୍ୟାଟ୍ସମ୍ୟାନମାନେ ସଠିକ୍ ସାବ୍ୟସ୍ତ କରି ପାରିନଥିଲେ। ଦଳ ୫ ରନ ସ୍କୋରରେ ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ୍ ହରାଇଥିଲା। ଉଭୟ ଯଶସ୍ୱୀ ଏବଂ ଦେବଦତ୍ତ ପାଡିକଲ୍ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ସେହିପରି ଦଳର ସବୁଠୁ ଅଭିଜ୍ଞ ଖେଳାଳି ବିରାଟ କୋହଲି ମଧ୍ୟ ମାତ୍ର ୫ ରନ କରି ଆଉଟ୍ ହୋଇଥିଲେ । କିନ୍ତୁ ଓପନିଂ କରିଥିବା କେଏଲ ରାହୁଲ ବେଶ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ୨୭ ରନ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲ ୧୧ ରନ ହାସଲ କରିଥିବା ବେଳେ ଦଳ ୫୯ ରନ ବେଳକୁ ୫ ୱିକେଟ୍ ହରାଇଥିଲା । ସେହିପରି ରିଷଭ ପନ୍ତ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିବା ବେଳେ ୱାଶିଂଟନ ସୁନ୍ଦର ମାତ୍ର ୪ ରନ ହାସଲ କରିଥିଲେ। ପରେ ନୀତିଶ ରେଡ୍ଡୀ ପନ୍ତଙ୍କୁ ଭଲ ସହଯୋଗ ଦେଇଥିଲେ । ନୀତିଶ ଦିନିକିଆ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ରନ ସଂଗ୍ରହ କରିଥିବା ବେଳେ ପନ୍ତ ଓ ନୀତିଶ ଷଷ୍ଠ ୱିକେଟ୍ ପାଇଁ ୪୮ ରନ ଯୋଡି ଦଳ ପାଇଁ ଆଶାର କିରଣ ସାଜିଥିଲେ । କିନ୍ତୁ ପନ୍ତ ୩୭ ରନ କରି ଆଉଟ୍ ହୋଇଥିଲେ । ସେହିପରି ହର୍ଷିତ ରାଣା ୭ ରନ ଓ ଅଧିନାୟକ ଯଶପ୍ରୀତ ବୁମରା ୮ ରନ କରି ଆଉଟ୍ ହୋଇଥିଲେ । ନୀତିଶ ରେଡ୍ଡୀ ଦଶମ ବ୍ୟାଟ୍ସମ୍ୟାନ ଭାବେ ପାଭିଲିୟନ ଫେରିଥିବା ବେଳେ ୪୧ ରନ ହାସଲ କରିଥିଲେ । ଏହିପରି ଭାବେ ଭାରତ ୧୫୦ ରନରେ ଅଲଆଉଟ୍ ହୋଇଥିଲା।
ଏହାପରେ ଭାରତର ୧୫୦ ରନର ଜବାବ ଦେବାପାଇଁ ପିଚକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ପାଖରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର କୌଣସି ଜବାବ ନ ଥିଲା । ବିଶେଷ କରି ଯଶପ୍ରୀତ ବୁମରାଙ୍କ ବୋଲିଂ ଶୈଳୀ ପ୍ରତିପକ୍ଷ ଦଳକୁ ଚିନ୍ତାରେ ପକାଇଥିଲା । ପଦାର୍ପଣ ଟେଷ୍ଟ ଖେଳୁଥିବା ନାଥନ ମାକସ୍ୱିନି ବୁମରାଙ୍କ ପ୍ରଥମ ଶିକାର ହୋଇଥିବା ବେଳେ ଉସ୍ମାନ ଖ୍ୱାଜା ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ସପ୍ତମ ଓଭରର ଚତୁର୍ଥ ବଲରେ ଉସ୍ମାନ ଓ ପଞ୍ଚମ ବଲରେ ଷ୍ଟିଭ ସ୍ମିଥଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ବୁମରା। ସେହିପରି ଟ୍ରେଭିସ ହେଡଙ୍କୁ ଆଉଟ୍ କରି ହର୍ଷିତ ରାଣା ପ୍ରଥମ ଟେଷ୍ଟ ୱିକେଟ ନେଇଥିବା ବେଳେ ମିଚେଲ୍ ମାର୍ଶଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ । ମାର୍ନସ ଲାବୁସେନ ୫୨ ବଲରୁ ମାତ୍ର ୧ ରନ କରି ପାଭିଲିୟନ ଫେରିଥିବା ବେଳେ ଅଧିନାୟକ ପାଟ୍ କମିନ୍ସଙ୍କୁ ମଧ୍ୟ ମାତ୍ର ୩ ରନରେ ପାଭିଲିୟନ ଫେରାଇ ଥିଲେ ଯଶପ୍ରୀତ ବୁମରା । ଏହିପରି ପ୍ରଥମ ଦିନର ଶେଷ ସୁଦ୍ଧା କଙ୍ଗାରୁ ଦଳ ୭ ୱିକେଟ ବିନିମୟରେ ୬୭ ରନ ହାସଲ କରିଥିଲା ।