ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଏକଛତ୍ରବାଦ ଶାସନ ଆରମ୍ଭ ହେବା ଦିନଠାରୁ ମହିଳାଙ୍କ ପ୍ରତି କଠୋର ଆଚରଣ କରାଯାଉଛି। ଏହାମଧ୍ୟରେ ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏଥିରେ ମହିଳା ମାନଙ୍କ ପାଇଁ ପାଠ୍ୟକ୍ରମକୁ ନେଇ ପ୍ରତିବନ୍ଧକ ଜାରୀ ହୋଇଛି । ଏହି ନିର୍ଦ୍ଦେଶରେ ଆଫଗାନିସ୍ତାନ ମହିଳାମାନଙ୍କୁ ମିଡୱାଇଫରୀ ଏବଂ ନର୍ସିଂ କୋର୍ସ ଅଧ୍ୟୟନ କରିବା ପାଇଁ ବାରଣ କରାଯାଇଛି। ଏହି ନିର୍ଦ୍ଦେଶ ଜାରି ହେବାପରେ ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ଶିକ୍ଷାର ଶେଷ ଦୁଇଟି ମାର୍ଗ ମଧ୍ୟ ବନ୍ଦ ହୋଇଯାଇଛି।
ଆଫଗାନିସ୍ତାନରେ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟ ଗମ୍ଭୀର ହେବାରେ ଲାଗିଥିବା ବେଳେ ମିଡ୍ୱାଇଫରୀ ଏବଂ ନର୍ସିଂ ଅନୁଷ୍ଠାନଗୁଡିକୁ ପ୍ରଶିକ୍ଷଣ ନେଉଥିବା ମହିଳାମାନଙ୍କୁ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ କରିବାକୁ ତାଲିବାନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସୂଚନା ମିଳିଛି। ତେବେ ତାଲିବାନ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।
ତାଲିବାନର ଏହି ଏକଛତ୍ରବାଦ ଶାସନ ମଧ୍ୟରେ ମହିଳାମାନଙ୍କର ଶିକ୍ଷା ଲାଭ କରିବାର ଏକମାତ୍ର ଉପାୟ ଥିଲା ମିଡୱାଇଫରୀ କିମ୍ବା ନର୍ସିଂ କୋର୍ସ। କିନ୍ତୁ ତାଲିବାନର ଏହି ନିର୍ଦ୍ଦେଶ ପରେ ଏଥିରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ମହିଳା।