ନୂଆଦିଲ୍ଲୀ: ମହା ବିକାଶ ଅଘାଡି ବା ଏମଭିଏରେ ମୁଣ୍ଡ ଟେକୁଛି ଆଉ ଏକ ସଙ୍କଟ। ମେଣ୍ଟ ଛାଡିଛି ସମାଜବାଦୀ ପାର୍ଟି। ବାବ୍ରି ମସ୍ଜିଦକୁ ନେଇ ମେଣ୍ଟର ପ୍ରମୁଖ ଦଳ ଶିବସେନା (ୟୁବିଟି)ର ଆଭିମୁଖ୍ୟରେ ଅସନ୍ତୋଷ ଥିବା ତାଙ୍କ ଦଳ ଖୁବ୍ଶୀଘ୍ର ମେଣ୍ଟ ତ୍ୟାଗ କରିଥିବା ମହାରାଷ୍ଟ୍ର ଏସ୍ପି ମୁଖ୍ୟ ଆବୁ ଅଜମୀ ଶନିବାର କହିଛନ୍ତି। ଆଜମୀ କହିଛନ୍ତି ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ବାବ୍ରି ମସ୍ଜିଦ ଭାଙ୍ଗିଥିବା ଲୋକଙ୍କୁ ଅଭିନନ୍ଦନ ଜଣାଇ ଏକ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିଲା। ଏମିତିକି ଉଦ୍ଧବଙ୍କର ଜଣେ ସହଯୋଗୀ ବାବ୍ରି ମସ୍ଜିଦ୍ ଭଙ୍ଗକୁ ପ୍ରଶଂସା କରି ସୋସିଆଲ୍ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ତାଙ୍କ ଦଳ ଏମ୍ଭିଏ ଛାଡିଛି। ଏ ନେଇ ସେ ଏସ୍ପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହିତ ଆଲୋଚନା କରିଥିଲେ।
ଶିବସେନା ୟୁବିଟିର ବିଧାନ ପରିଷଦ ସଦସ୍ୟ ମିଲିନ୍ଦ ନରବେକର ନିଜର ସୋସିଆଲ ମିଡିଆ ପୋଷ୍ଟରେ ବାବ୍ରି ମସ୍ଜିଦ ଭଙ୍ଗର ଫଟୋ ପୋଷ୍ଟ କରିଥିଲେ। ଏଥିସହ ଯିଏ ଏଭଳି କାମ କରିଛନ୍ତି ତାଙ୍କୁ ନେଇ ଆମେ ଗର୍ବିତ ବୋଲି ବାଲ୍ ଠାକରେଙ୍କ ଉକ୍ତିକୁ ସେ ଉଲ୍ଲେଖ କରିଥିଲେ। ଏହି ପୋଷ୍ଟରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଏବଂ ନିଜ ଫଟୋ ସେ ପୋଷ୍ଟ କରିଥିଲେ। ଏମ୍ଭିଏର କୌଣସି ସଦସ୍ୟ ଯଦି ଏଭଳି ଆଭିମୁଖ୍ୟ ରଖନ୍ତି ତେବେ ଫରକ କଣ ରହିଲା ବୋଲି ଆଜମୀ ପ୍ରଶ୍ନ କରିଛନ୍ତି।