ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧରେ ରାଷ୍ଟ୍ରପତି ବସର ଅଲ୍-ଆସାଦଙ୍କ ପରାଜୟ ଘଟିଛି। ସିରିଆର ବିଦ୍ରୋହୀ ସେନା ରାଜଧାନୀ ଦାମାସ୍କସ୍ ଉପରେ କବ୍ଜା କରିନେଇଛି। ଯାହାପରେ ଏହି ପାଶ୍ଚାତ୍ୟ ଦେଶରେ ବଶର ଅଲ-ଆସାଦଙ୍କ ୨୪ ବର୍ଷର ଓ ବାଥ୍ ପାର୍ଟିର ୬୧ ବର୍ଷର ଶାସନର ଅନ୍ତ ଘଟିଥିବା ବିଦ୍ରୋହୀମାନେ ଘୋଷଣା କରିଛନ୍ତି। ସେପଟେ ବିଦ୍ରୋହୀଙ୍କ ମୁକାବିଲା ନେଇ ଋଷ ଓ ଆମେରିକାଠାରୁ ସମର୍ଥନ ହରାଇବା ପରେ ରାଷ୍ଟ୍ରପତି ଆସାଦ ଦେଶ ଛାଡି ଅଜ୍ଞାତ ସ୍ଥାନକୁ ପଳାୟନ କରିଥିବା ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି। ମାତ୍ର ଆସାଦଙ୍କ ବିମାନ ରାଜଧାନୀ ଦାମାସ୍କସ ବିମାନବନ୍ଦରରୁ ଉଡାଣ ଭାରିବା ପରେ ରାଡାର ପରିସରରୁ ଅନ୍ତର୍ଦ୍ଧାନ ହୋଇଯାଇଛି। ଆସାଦଙ୍କ ବିମାନ ସମ୍ଭବତଃ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେଥିରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିମାନଟି ପ୍ରଥମେ ସିରିଆର ଉପକୂଳ ଅଞ୍ଚଳରେ ଥିବା ସିରିଆ ମୁସଲମାନଙ୍କ ପ୍ରମୁଖ କେନ୍ଦ୍ର ଆଡକୁ ଉଡାଣ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରେ ଏହା ରାସ୍ତା ବଦଳାଇ ବିପରୀତ ଦିଗକୁ ଉଡିଥିଲା। ଯାହାପରେ ଏହା ରାଡାର ପରିସରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା ବୋଲି ଫ୍ଲାଇଟରାଡାର ସୂତ୍ରରୁ ଜଣାପଡିଛି। ବିମାନରେ ଥିବା ଯାତ୍ରୀ କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ସେଥିରେ ଆସାଦ ହିଁ ଉଡାଣ କରୁଥିଲେ ବୋଲି ଆଶଙ୍କା କରାଯାଉଛି।
ରବିବାର ବିଦ୍ରୋହୀମାନେ ରାଜଧାନୀକୁ ଅକ୍ତିଆରକୁ ନେବା ପରେ ରାଷ୍ଟ୍ରପତିଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଦେଶର ପ୍ରମୁଖ ବିମାନ ବନ୍ଦରକୁ ମଧ୍ୟ ସେମାନେ ଖାଲି କରିଦେଇଥିଲେ। ଏମିତିକି ସେନା ଜେଲ୍ରେ ଅତ୍ୟାଚାର ଯୁଗର ଅନ୍ତ ଘଟିଥିବା ଘୋଷଣା କରି ଦାମାସ୍କସର ପ୍ରମୁଖ ସେଡନାୟା ଜେଲରୁ ସମସ୍ତ କଏଦୀଙ୍କୁ କାରାମୁକ୍ତ କରିଦେଇଥିଲେ। ହୋମସ୍ ସହର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଥିବା ନେଇ ରବିବାର ବିଦ୍ରୋହୀଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଦ୍ରୋହୀମାନେ ଫାଙ୍କା ଗୁଳି ଚଳାଇବା ସହିତ ଅନେକ ସ୍ଥାନରେ ରାଷ୍ଟ୍ରପତି ଆସାଦଙ୍କ ପୋଷ୍ଟର ଚିରି ନିଜର ବିଜୟ ଉତ୍ସବ ପାଳନ କରିଛନ୍ତି। ଏମିତିକି ଆସାଦଙ୍କ ପିତା ତଥା ସିରିଆର ପୂର୍ବତନ ଶାସକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ରାସ୍ତା ଉପରକୁ ଟାଣି ଆଣି ନୃତ୍ୟ କରିଥିଲେ। ଦାମାସ୍କସ ଏବଂ ଆଖପାଖ ଅଞ୍ଚଳକୁ ଆସାଦ ଶାସନମୁକ୍ତ କରିବାର ଅଭିଯାନ ଶେଷ ହୋଇଥିବା ସିରିଆ ବିଦ୍ରୋହୀ କମାଣ୍ଡର ହସନ ଅବ୍ଦୁଲ ଘାନୀ ରବିବାର ଘୋଷଣା କରିଛନ୍ତି। ସେପଟେ ଦାରା, କ୍ବୁନେତ୍ରା, ଆଲେପ୍ପୋ, ସୁଓ୍ବେଦା ଓ ହୋମ୍ସକୁ ମଧ୍ୟ ହାୟତ ତାହରିର ଅଲ-ଶାଙ୍କ ନେତୃତ୍ବରେ ସିରିଆ ବିଦ୍ରୋହୀ ସେନା ନିଜ ଅକ୍ତିଆରକୁ ନେଇଛି।
ବିଦ୍ରୋହୀମାନେ ନଭେମ୍ବର ୨୭ରେ ଆସାଦ ସରକାର ବିରୋଧରେ ହମ୍ଲା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ସହର ସେମାନେ ଦଖଲ କରିଚାଲିଥିବା ବେଳେ ଆସାଦ ସେନା ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲା। ଆମେରିକା ଓ ଋଷ ଏହାର ସୈନ୍ୟ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଦ୍ରୋହୀ ରାଜଧାନୀ ଦାମାସ୍କସକୁ କବ୍ଜା କରିନେଇଥିଲେ। ବିଗତ ୧୦ ବର୍ଷ ହେବ ସିରିଆ ଗୃହଯୁଦ୍ଧରେ ଋଷ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଆସାଦ ସରକାର ସପକ୍ଷରେ ଯାଇଥିଲା। ଇରାନ ମଧ୍ୟ ନିଜର ସୈନ୍ୟ ପଠାଇ ସିରିଆକୁ ସହଯୋଗ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏବେ ପୁଟିନ୍ ଏହି ଗୃହଯୁଦ୍ଧ ବିରୋଧରେ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଥିବା ବେଳେ ଆମେରିକା ମଧ୍ୟ ଏଥିରୁ ଦୂରେଇ ରହିବ ବୋଲି ଏହାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଥିଲେ। ଯାହାପରେ ସିରିଆ ବିଦ୍ରୋହୀମାନେ ଗୋଟିଏ ଦିନରେ ହିଁ ୪ଟି ସହରକୁ ଅକ୍ତିଆର କରିଥିଲେ। ଆସାଦଙ୍କ ସରକାର ରାଜନୈତିକ ଦୃଷ୍ଟିରୁ ବିଫଳ ହୋଇଥିବା ବେଳେ ତାଙ୍କ ସରକାର ଭାଙ୍ଗିଯାଇଛି। ରାଜଧାନୀ ବିଦ୍ରୋହୀଙ୍କ କବଜାକୁ ଯିବା ପରେ ଆସାଦ ଓ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ଖୋଜଖବର ମିଳୁନ ଥିବା ସିରିଆ ପ୍ରଧାନମନ୍ତ୍ରୀ କହିଛନ୍ତି। ଋଷଠାରୁ ସମର୍ଥନ ହରାଇବା ପରେ ଆସାଦ ଦେଶଛାଡି ପଳାୟନ କରିଥିବା ଟ୍ରମ୍ପ କହିଛନ୍ତି। ଦେଶରେ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଅଲ-ଜଲାଲି ବିଦ୍ରୋହୀ ସେନା ମୁଖ୍ୟ ଆବୁ ମହମ୍ମଦ ଅଲ-ଗୋଲାନିଙ୍କୁ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି ଦେଶରେ ଏବେ ମୁକ୍ତ ନିର୍ବାଚନ ହେବା ଆବଶ୍ୟକ। ଯାହାଦ୍ବାରା ଦେଶବାସୀ ନିଜ ପସନ୍ଦର ସରକାର ଚୟନ କରିପାରିବେ।
ଉଲ୍ଲେଖ ଯେ ୧୯୬୩ରେ ଏକ ବିଦ୍ରୋହ କ୍ରମେ ବାଥ୍ ପାର୍ଟି ସିରିଆରେ କ୍ଷମତାକୁ ଆସିଥିଲା। ୧୯୭୦ରେ ଆସାଦଙ୍କ ପିତା ହାଫେଜ୍ ଆସାଦ ସିରିଆର ଶାସନ ଭାର ହାତକୁ ନେଇଥିଲେ। ଏକ ବିଦ୍ରୋହ କ୍ରମେ ସେ ୧୯୭୧ରେ ରାଷ୍ଟ୍ରପତି ପଦ ଅକ୍ତିଆର କରିଥିଲେ। ୨୦୦୦ରେ ପିତାଙ୍କ ମୃତ୍ୟୁ ପରେ ବସାର ଆସାଦ ବାଥ୍ ପାର୍ଟିର ନେତୃତ୍ବ ନେଇ ଦେଶରେ କ୍ଷମତା ଅକ୍ତିଆର କରିଥିଲେ। କିନ୍ତୁ ଏକଚ୍ଛତ୍ରବାଦ ବିରୋଧରେ ଟ୍ୟୁନିସିଆରୁ ୨୦୦୮ରେ ଆରମ୍ଭ ହୋଇଥିବା ଆରବ ସ୍ପ୍ରିଙ୍ଗ ୩ ବର୍ଷ ପରେ ୨୦୧୧ରେ ସିରିଆରେ ପହଞ୍ଚିଥିଲା। ଏଠାରେ ବସର ଅଲ-ଆସାଦ ସରକାର ବିରୋଧରେ ସୃଷ୍ଟ ବିଦ୍ରୋହ ଗୃହ ଯୁଦ୍ଧର ରୂପ ନେଇଥିଲା। ଏହି ଗୃହ ଯୁଦ୍ଧରେ ସିରିଆର ବିଦ୍ରୋହୀ ସମୁହ ଏବଂ ଚରମପନ୍ଥୀ ଗୋଷ୍ଠୀ ଆମେରିକା, ଇରାନ ଏବଂ ରୁଷ ସମେତ ବହୁ ଅନ୍ତରାଷ୍ଟ୍ରୀୟ ଶକ୍ତି ସହିତ ସାମିଲ ହୋଇଥିଲେ। ୧୩ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ଗୃହଯୁଦ୍ଧରେ ୫ ଲକ୍ଷରୁ ଅଧିକ ସିରିଆ ନାଗରିକ ପ୍ରାଣ ହରାଇଛନ୍ତି। ଲକ୍ଷଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।