ସିଓଲ୍: ଦକ୍ଷିଣ କୋରିଆରେ ମାର୍ଶଲ ଲ’ ଲାଗୁ ହେବା ପରେ ଉତ୍ତେଜନା ଜାରି ରହିଛି। ଏହାକୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଦକ୍ଷିଣ କୋରିଆ ପୋଲିସ ରାଷ୍ଟ୍ରପତି କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି। ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାର ଯାଞ୍ଚ ପାଇଁ ଏହି ଚଢ଼ାଉ ହୋଇଛି। ସଂକ୍ଷିପ୍ତ ମାର୍ଶାଲ ଲ ଲାଗୁ କରିବା ମାମଲାରେ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ଅଭିଯୋଗ ରହିଥିବା ବେଳେ ତାଙ୍କୁ ଗିରଫ କରାଯାଇ ନାହିଁ କିମ୍ବା ପଚରାଉଚରା କରାଯାଇ ନାହିଁ।
ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ ମାମଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ଜାତୀୟ ପୁଲିସ ଏଜେନ୍ସି, ସିଓଲ ମହାନଗର ନିଗମ ପୁଲିସ ଏଜେନ୍ସି ଏବଂ ଜାତୀୟ ବିଧାନସଭା ସୁରକ୍ଷା ଜାତୀୟ ବିଧାନସଭା ସୁରକ୍ଷା ଫୋର୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲା ଦେଶର ସୁରକ୍ଷା ଏବଂ ପ୍ରଶାସନିକ ବ୍ୟବସ୍ଥା ସହ ଜଡିତ ହୋଇଥିବା ବେଳେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ବୋଲି ଅନୁସନ୍ଧାନକାରୀ ଦଳ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ୩ ତାରିଖ ବିଳମ୍ବିତ ରାତିରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ହଠାତ ମାର୍ଶାଲ ଲ ଘୋଷଣା କରି ସଂସଦରେ ସ୍ୱତନ୍ତ୍ର ବାହିନୀ ଓ ହେଲିକପ୍ଟର ନିୟୋଜିତ କରିଥିଲେ । ତେବେ ବିରୋଧୀ ଏବଂ ତାଙ୍କ ଦଳର ସାଂସଦଙ୍କ ଚାପ ଯୋଗୁଁ ତାଙ୍କୁ ଏହି ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ଏବଂ ଏହା ଆଧାରରେ ତାଙ୍କ ବିରୋଧରେ ଅପରାଧିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗତ ୯ ତାରିଖରେ ତାଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲାଗିଥିଲା। ତାଙ୍କ ବିଦେଶ ଯାତ୍ରା ଉପରେ ନ୍ୟାୟ ମନ୍ତ୍ରାଳୟ ରୋକ୍ ଲଗାଇଥିଲା ।