ନୂଆଦିଲ୍ଲୀ: ଭାରତୀୟ ଛାତ୍ରମାନଙ୍କୁ ପ୍ରଲୋଭିତ କରି ନାମ ଲେଖାଉଥିବା କାନାଡାର କେତେକ କଲେଜ ସମ୍ପ୍ରତି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ସ୍କାନରକୁ ଆସିଛି । ଇଡି ସୂତ୍ରରୁ ଜଣାଯାଇଛି ଯେ ଉକ୍ତ କଲେଜଗୁଡିକ ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଅଧ୍ୟୟନ କରିବାକୁ ପ୍ରଲୋଭିତ କରି ସେମାନଙ୍କ ନିକଟରୁ ଜଣ ପିଛା ୫୫ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି । ଉକ୍ତ କଲେଜ ସମେତ କିଛି ଭାରତୀୟ ବ୍ୟକ୍ତିବିଶେଷ ଏବଂ ସଂସ୍ଥାଗୁଡିକ ବିରୋଧରେ ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ଉକ୍ତ କଲେଜ ଓ କିଛି ଭାରତୀୟ ସଂସ୍ଥା ତଥା ବ୍ୟକ୍ତିବିଶେଷ ଭାରତୀୟ ଛାତ୍ରଙ୍କ ନିକଟରୁ ବିପୁଳ ଅର୍ଥ ନେଇ ସେମାନଙ୍କୁ କାନାଡା ବାଟଦେଇ ଆମେରିକାରେ ପ୍ରବେଶ କରାଇବା ସହିତ ସେଠାରେ ଅଧ୍ୟୟନ ସୁଯୋଗ ଦେବା ଲୋଭ ଦେଖାଉଛନ୍ତି । ଗୁଜରାଟର ଡିଙ୍ଗୁଚା ଗ୍ରାମର ଚାରିଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ପରିବାର କାନାଡା-ଆମେରିକା ସୀମା ବେଆଇନ ଭାବରେ ଅତିକ୍ରମ କରିବାକୁ ୨୦୨୨ରେ ଉଦ୍ୟମ କରୁଥିବା ସମୟରେ ଅତ୍ୟଧିକ ଥଣ୍ଡାଯୋଗୁଁ ପ୍ରାଣ ହରାଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବାବେଳେ ଏଭଳି ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସଂପୃକ୍ତି ସମ୍ମୁଖକୁ ଆସିଛି ।
ଇଡି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ ଏହା ମୁମ୍ବଇ, ନାଗପୁର, ଗାନ୍ଧୀନଗର ଏବଂ ଭଦୋଦରାର ୮ଟି ସ୍ଥାନରେ ଚଢଉ କରିଥିଲା। ଭବେଶ ଅଶୋକଭାଇ ପଟେଲ ନାମକ ଜଣେ ବ୍ୟକ୍ତି ଉକ୍ତ ଭାରତୀୟ ପରିବାରକୁ କାନାଡା ବାଟଦେଇ ବେଆଇନ ଭାବରେ ଆମେରିକାକୁ ପଠାଇବା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଶ୍ରୀ ପଟେଲଙ୍କ ସହିତ ସମ୍ପର୍କିତ ଉକ୍ତ ସ୍ଥାନଗୁଡିକରେ ଚଢଉ ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ମିଳିଛି ।
ଇଡି କହିବା ଅନୁଯାୟୀ ଏହି ଲୋକମାନେ ଭାରତୀୟ ଛାତ୍ରଙ୍କୁ କାନାଡା ଭିସା ପ୍ରଦାନ କରୁଥିଲେ । ସେମାନେ ଥରେ କାନାଡାରେ ପହଞ୍ଚିବା ପରେ ସେମାନେ କାନାଡା କଲେଜରେ ଅଧ୍ୟୟନ କରିବା ପରିବର୍ତ୍ତେ ଆମେରିକାକୁ ବେଆଇନ ଭାବରେ ଚାଲିଯାଉଥିଲେ । ପରେ କାନାଡାରେ ଥିବା କଲେଜକୁ ଦିଆଯାଇଥିବା ଅର୍ଥ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଉଥିଲା । ଏହିଭଳି ରାକେଟ ଚଳାଉଥିବା ଗୋଟିଏ ଭାରତୀୟ ସଂସ୍ଥା ସହିତ କାନାଡାର ୧୧୨ଟି କଲେଜ ଏବଂ ଅନ୍ୟଏକ ସଂସ୍ଥା ସହିତ ୧୫୦ଟି କଲେଜ ଚୁକ୍ତିବଦ୍ଧ ହୋଇଥିବା ଇଡି ଜାଣିବାକୁ ପାଇଛି ।