ଅସ୍ତାନା: କାଜାକସ୍ତାନର ଅକତାଉ ସହରରେ ଆଜରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟୁନ ୩୯ ଜଣଙ୍କ ମୃତ୍ୟୁ ସମେତ ୨୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଭୋର ୩ଟା ୫୫(ଭାରତୀୟ ସମୟ ସକାଳ ୯ଟା ୨୫)ରେ ଆଜରବାଇଜାନ ଏୟାରଲାଇନ୍ସର ବିମାନ ଜେ୨-୮୨୪୩ ବାକୁରୁ ଉଡାଣ ଭରି ଋଷର ଚେଞ୍ଚିଆର ଗ୍ରୋଜନି ଅଭିମୁଖେ ଯାତ୍ରା କରୁଥିଲା । ଏହି ବିମାନରେ ୬୭ଜଣ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ଥିଲେ। ଘନ କୁହୁଡି କାରଣରୁ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା । କିନ୍ତୁ କିଛି ସମୟ ପରେ ବିମାନର ଜିପିଏସରେ ତ୍ରୁଟି ଯୋଗୁଁ ବିମାନ ଚାଳକ ଅକତାଉ ଏୟାରପୋର୍ଟରେ ଜରୁରୀ ଅବତରଣ କରିବା ବେଳେକୁ ତତକ୍ଷଣାତ୍ ବିମାନଟି ତଳକୁ ଖସିପଡ଼ି ଜଳି ଉଠିଥିଲା ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା।