ନୂଆଦିଲ୍ଲୀ: ଏଣିକି ବଳାତ୍କାର ଏବଂ ଏସିଡ଼ ମାଡ଼ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ମନା କରି ପାରିବେ ନାହିଁ ସରକାରୀ ଅଥବା ଘରୋଇ ହସ୍ପିଟାଲଗୁଡିକ। ଅନ୍ୟଥା ସମ୍ପୃକ୍ତ ହସ୍ପିଟାଲଗୁଡିକୁ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ଦିଲ୍ଲୀ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ ବଳାତ୍କାର, ଯୌନ ନିର୍ଯାତିତ ତଥା ପୋକସୋ ପୀଡ଼ିତା (ନାବାଳିକା) ଏବଂ ଏସିଡ଼ ମାଡ଼ ପୀଡ଼ିତାମାନେ ମାଗଣାରେ ଚିକିତ୍ସା ପାଇବାକୁ ହକଦାର। ଏହି ପୀଡ଼ିତମାେନ ତୁରନ୍ତ ଯେଭଳି ଚିକିତ୍ସା ଏବଂ ଆବଶ୍ୟକୀୟ ମେଡିକାଲ ସେବା ପାଇପାରିବେ ସେଥିନେଇ ସରକାରୀ, ଘରୋଇ ହସ୍ପିଟାଲ ଏମିତିକି ନର୍ସିଂହୋମଗୁଡିକ ମଧ୍ୟ ଯତ୍ନଶୀଳ ହେବା ଉଚିତ।
ଏଥିସହ ଏହି ପୀଡ଼ିତାମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନର କ୍ଷେତ୍ର ନିର୍ଦ୍ଧାରଣ କରି ହାଇକୋର୍ଟ କହିଛନ୍ତି ଏମାନଙ୍କ ଚିକିତ୍ସାରେ ପ୍ରାଥମିକ ଉପଚାର ସମେତ ରୋଗ ଚିହ୍ନଟ, ରୋଗୀର ଯତ୍ନ, ସର୍ଜରୀ, ଚିକିତ୍ସା ପରେ ରୁଟିନ ଚେକ୍ଅପ୍, ରୋଗ ଚିହ୍ନଟ, ଲାବୋରେଟୋରୀ ଟେଷ୍ଟ, ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର, ଶାରୀରିକ ଓ ମାନସିକ କାଉନସେଲିଂ, ମାନସିକ ସହଯୋଗ ଏବଂ ସେମାନଙ୍କ ପରିବାରକୁ କାଉନସେଲିଂ ପ୍ରଭୃତି ଅନ୍ତର୍ଭୁକ୍ତ ରହିବ। ପ୍ରତିଦିନ ବଳାତ୍କାର ଏବଂ ପୋକସୋ ମାମଲା ସମ୍ମୁଖୁ ଆସୁଥିବା ବେଳେ ପୀଡ଼ିତାମାନଙ୍କୁ ଜରୁରୀ ଚିକିତ୍ସା ଅଥବା ଦୀର୍ଘକାଳୀନ ଚିକିତ୍ସାର ଆବଶ୍ୟକତା ପଡୁଛି। ଏମାନଙ୍କୁ ମାଗଣାରେ ଚିକିତ୍ସା ସେବା ପ୍ରଦାନ କରିବା ନେଇ ବିଏନଏସଏସ ଅଥବା ସିଆରପିସି ଅଧୀନରେ ବ୍ୟବସ୍ଥା ରହିଥିବା ବେଳେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ତଥାପି ଏହି ବଳାତ୍କାର ତଥା ଏସିଡ ମାଡ଼ ପୀଡ଼ିତାମାନେ ମାଗଣାରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା କୋର୍ଟ ଜାଣିବାକୁ ପାଇବା ପରେ ଏହି ଐତିହାସିକ ରାୟ ଦେଇଛନ୍ତି। ଏ ନେଇ ହାଇକୋର୍ଟ ବିଭିନ୍ନ ପୋକସୋ କୋର୍ଟ, ଅପରାଧିକ କୋର୍ଟ ଏବଂ ପାରିବାରକ କୋର୍ଟଗୁଡିକୁ ଏହି ରାୟ ସମ୍ବନ୍ଧୀୟ ସର୍କୁଲାର ପଠାଇଛନ୍ତି।