ୱାଶିଂଟନ: ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁମାନଙ୍କ ଉପରେ ଲଗାତର ଆକ୍ରମଣ ଘଟଣାକୁ ନେଇ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସେଠାରେ ଧର୍ମ ନିର୍ବିଶେଷରେ ବାସ କରୁଥିବା ସମସ୍ତ ଲୋକଙ୍କର ମାନବାଧିକାର ସୁରକ୍ଷିତ ରଖିବା ଏବଂ ସେଥିପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆମେରିକା କହିଛି । ହ୍ୱାଇଟ ହାଉସ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ବାଂଲାଦେଶରେ ବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ବର୍ଦ୍ଧିତ ହିଂସା ଘଟଣାରେ ଜାତିସଂଘ ଢାକାକୁ ସେ ଦେଶର ସମସ୍ତ ନାଗରିକଙ୍କ ମାନବାଧିକାର ସୁରକ୍ଷିତ ରଖିବା ସୁନିଶ୍ଚିତ କରିବାକୁ କହିଛି । ଆମେରିକାର ରାଷ୍ଟ୍ରୀୟ ସୁରକ୍ଷରା ପରାମର୍ଶଦାତା (ଏନଏସଏ) ଜେକ୍ ସୁଲିଭାନ ଫୋନ ଯୋଗେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମହମ୍ମଦ ୟୁନୁସ ସେଠାରେ ମାନବାଧିକାର ସୁରକ୍ଷା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଉଭୟ ନେତା ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କର ମାନବାଧିକାରକୁ ସମ୍ମାନ ପ୍ରଦର୍ଶନ ଓ ତାହା ସୁରକ୍ଷିତ ରଖିବା ନିମନ୍ତେ ନିଜର ପ୍ରତିବଦ୍ଧତା ଦର୍ଶାଇଥିବା ହ୍ୱାଇଟ ହାଉସ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ବାଇଡେନ ପ୍ରଶାସନ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ଡୋନାଲଡ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର କରିବା ଆଉ ମାସକରୁ କମ୍ ସମୟ ଥିବାବେଳେ ବାଇଡେନ ପ୍ରଶାସନ ପକ୍ଷରୁ ବାଂଲାଦେଶକୁ ଏଭଳି ଚେତାବନୀ ଦିଆଯାଇଛି । ପୂର୍ବରୁ ଟ୍ରମ୍ପ ମଧ୍ୟ ତାଙ୍କର ନିର୍ବାଚନ ପ୍ରଚାର ସମୟରେ ବାଂଲାଦେଶରେ ହିନ୍ଦୁବିରୋଧୀ ହିଂସାକୁ ତୀବ୍ର ନିନ୍ଦା କରିଥିଲେ । ୟୁନୁସଙ୍କ ସହିତ ଆଲୋଚନା କାଳରେ ସୁଲିଭାନ ଏକ ଗଣତାନ୍ତ୍ରିକ, ସ୍ଥିର ଓ ସମୃଦ୍ଧ ବାଂଲାଦେଶ ଗଠନ ନିମନ୍ତେ ଆମେରିକାର ସମର୍ଥନକୁ ଦୋହରାଇଥିଲେ ।