ଭୁବନେଶ୍ବର: ଆହୁରି ଦୁଇ ଦିନ ବର୍ଷିବ ଲଘୁଚାପ ବର୍ଷା। ୨୭ ଯାଏଁ ଭିଜିବ ଓଡ଼ିଶା। ତା ସାଙ୍ଗକୁ କଲବଲ କରିବ କୁହୁଡୁ। ୨୪ ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତ ବର୍ଷାକୁ ନେଇ ବୁଧବାର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ୍ବେଲମାର୍କ ଲୋପ୍ରେସର ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ପରେ ଏହା ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ୨୭ ତାରିଖ ସକାଳ ପର୍ଯ୍ୟନ୍ତ କ୍ରମାଗତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୭ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରଭାବରେ ପୁଣି ରାଜ୍ୟରେ କୋହଲା ପାଗ ସହ ହାଲୁକା ବର୍ଷାର ପୂର୍ବାନୁମାନ କରାଯାଇଛି। ଗୁରୁବାର ଘନ କୁହୁଡି ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ବଲାଙ୍ଗିରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୭ ତାରିଖରେ ଘନ କୁହୁଡି ନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।