ନୂଆଦିଲ୍ଲୀ: ଦୀର୍ଘଦିନର ଆଇନଗତ ଲଢେଇରେ ଶେଷରେ ଆଶ୍ୱସ୍ତ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି । ଫଳରେ ୬ ମାସ ପରେ ସେ ଜେଲରୁ ମୁକୁଳିବାକୁ ଯାଉଛନ୍ତି । ଆସନ୍ତା ମାସରେ ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ତାହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ମୁଖ୍ୟ କେଜରିୱାଲକୁ ଜାମିନ ମିଳିବା ଦଳ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି । ଦିଲ୍ଲୀ ମଦ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଏପର୍ଯ୍ୟନ୍ତ ଗିରଫ ହୋଇଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରୁ ତିନିଜଣ ଶୀର୍ଷସ୍ତରର ନେତାଙ୍କୁ ପୂର୍ବରୁ ଜାମିନ ମିଳିଥିବାବେଳେ କେଜରିୱାଲ ଚତୁର୍ଥ ବ୍ୟକ୍ତି ଭାବରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଆଶ୍ୱସ୍ତି ଲାଭ କରିଛନ୍ତି । ଏହି ମାମଲାରେ ପୂର୍ବରୁ ଆମ୍ ଆଦମୀ ପାର୍ଟିର ମନିଶ ସିସୋଦିଆ, ସଞ୍ଜୟ ସିଂ, ବିଜୟ ନାୟାର ଏବଂ ଭାରତ ରାଷ୍ଟ୍ର ସମିତିର କେ କବିତାଙ୍କୁ ଜାମିନ ମିଳିସାରିଛି । ସୂଚନାଯୋଗ୍ୟ ଯେ ହରିଆଣା ବିଧାନସଭା ନିର୍ବାଚନରେ ଶାସନ କ୍ଷମତାରେ ଥିବା ବିଜେପି ସହିତ କଡା ମୁକାବିଲା କରିବାକୁ ଯାଉଛି କେଜରିୱାଲଙ୍କ ଦଳ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ନୀତିରେ ହୋଇଥିବା ଦୁର୍ନୀତି ସହିତ ସଂପୃକ୍ତ କଳାଟଙ୍କା କାରବାର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା । ପରେ ସେ ଇଡି ହାଜତରେ ଥିବା ସମୟରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ତାଙ୍କୁ ଜୁନ ୨୬ରେ ଗିରଫ କରିଥିଲା । ତାହାର ସପ୍ତାହକ ପରେ କେଜରିୱାଲଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ଇଡି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ସିବିଆଇ ତାଙ୍କୁ ଗିରଫ କରିଥିବାରୁ ସେ ତିହାର ଜେଲରେ ଅଟକ ରହିଥିଲେ । ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ସମୟରେ କେଜରିୱାଲ ଯୁକ୍ତି ଦର୍ଶାଇଥିଲେ ଯେ ଇଡି ମାମଲାରେ ସେ ଜାମିନରେ ଛାଡ ପାଇବାକୁ ଯାଉଥିବାବେଳେ ସିବିଆଇ ତାଙ୍କୁ ଜାଣିଶୁଣି ଗିରଫ କରିଥିଲା । କେଜରିୱାଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ସିବିଆଇର ଏଭଳି ପଦକ୍ଷେପକୁ ସମାଲୋଚନା କରିବା ସହିତ କେଜରିୱାଲଙ୍କୁ ଜାଣିଶୁଣି ଜେଲ ଭିତରେ ବନ୍ଦ ରଖିବା ଉଦେ୍ଦଶ୍ୟରେ ତାଙ୍କୁ ଗିରଫ କରାଯାଇଥିବା ସର୍ବୋଚ୍ଚ ନ୍ୟାୟାଳୟରେ ଯୁକ୍ତି ଦର୍ଶାଇଥିଲେ ।