ଭୁବନେଶ୍ୱର,(ବ୍ୟୁରୋ): ପାର୍ବଣ ଆରମ୍ଭ ନ ହେଉଣୁ ରାଜଧାନୀରେ ମାତିଲେଣି ଲୁଟେରା । କମିଶନରେଟ ପୋଲିସ ପକ୍ଷରୁ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଯେତେ ବି ସ୍ୱତନ୍ତ୍ର ଯୋଜନା କରାଯାଉଛି ତାହା କିନ୍ତୁ ଅପରାଧୀଙ୍କୁ କାଟୁ କରୁନାହିଁ । ଲାଗୁଛି ଯେପରି ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି । ଏହାରି ମଧ୍ୟରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକରେ ଥିବା ଏକ ଘରୋଇ ବ୍ୟାଙ୍କ ସମ୍ମୁଖରୁ ଦୁଇଜଣ ଲୁଟେରା ମୁହଁରେ ହେଲମେଟ ପିନ୍ଧି ଆସି ଜଣେ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଥିବା ଘରୋଇ କମ୍ପାନୀର କର୍ମଚାରୀ ଜଣଙ୍କ ହେଉଛନ୍ତି ବାସୁଦେବ ମହାରଣା । ବାସୁଦେବ ଶୈଳଶ୍ରୀ ବିହାରରେ ଥିବା ଏକ ଘରୋଇ କମ୍ପାନୀର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ଅପରାହ୍ନ ପ୍ରାୟ ୨ଟା ସମୟରେ ବାସୁଦେବ ସିଆରପି ଛକ ସ୍ଥିତ ଏକ୍ସିସ ବ୍ୟାଙ୍କକୁ କମ୍ପାନୀର ଟଙ୍କା ଉଠାଣ ପାଇଁ ଆସିଥିଲେ । ୫ ଲକ୍ଷ ଟଙ୍କା ଉଠାଣ କରିବା ପରେ ବାସୁଦେବ ବ୍ୟାଙ୍କରୁ ବାହାରି ନିଜ ବାଇକ ପାଖକୁ ଆସିଥିଲେ । ବାଇକର ଡିକି ଖୋଲି ବାସୁଦେବ ଟଙ୍କା ଭର୍ତ୍ତୀ ବ୍ୟାଗ ରଖୁଥିବା ବେଳେ ପୂର୍ବରୁ ତାଙ୍କୁ ଫଲୋ କରୁଥିବା ୨ ଜଣ ଦୁବୃର୍ତ୍ତ ଏକ ସ୍ପିଡ଼ ବାଇକରେ ଆସି ବାସୁଦେବଙ୍କ ହାତରୁ ଟଙ୍କା ବ୍ୟାଙ୍କଟିକୁ ଲୁଟ କରି ନେଇ ସିଆରପି ଛକ ଆଡ଼କୁ ଫେରାର ହୋଇଯାଇଥିଲେ । ବାସୁଦେବ ଚିତ୍କାର କରିବା ପରେ ଲୋକେ ଲୁଟେରା ଦ୍ୱୟଙ୍କ ପଛରେ ଦୌଡ଼ିଥିଲେ ମଧ୍ୟ ଉଭୟ ଜାତୀୟ ରାଜପଥ ଦେଇ ଖଣ୍ଡଗିରି ପଟକୁ କେଉଁଆଡେ ଫେରାର ହୋଇଯାଇଥିଲେ । ଏନେଇ ବାସୁଦେବ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ବାସୁଦେବ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିବା ଜଣାପଡ଼ିଛି ।