ୱାଶିଂଟନ: ଆମେରିକାକୁ ପୁଟିନଙ୍କ ଯୁଦ୍ଧ ଧମକ ପ୍ରସଙ୍ଗରେ ଜଣେ ସାମ୍ବାଦିକଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗାଳି ଦେଇଛନ୍ତି । ହ୍ୱାଇଟହାଉସରେ ବାଇଡେନ ଏବଂ ୟୁକେ ପ୍ରଧାନମନ୍ତ୍ରୀ କେର୍ ଷ୍ଟାରମରଙ୍କ ମଧ୍ୟରେ ଏକ ବୈଠକ ପରେ ସାମ୍ବାଦିକ ଜଣକ ତାଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପକ୍ଷରୁ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯୁଦ୍ଧ ଧମକ ସମ୍ପର୍କିତ ପ୍ରଶ୍ନ ପଚାରିବାରୁ ବାଇଡେନ ଭୀଷଣ ରାଗି ଯାଇଥିଲେ । ରୁଷିଆ ବିରୁଦ୍ଧରେ ୟୁକ୍ରେନ ଦୀର୍ଘଦୂରତା ଅତିକ୍ରମ କରିପାରୁଥିବା କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯଦି ଅନୁମତି ପ୍ରଦାନ କରନ୍ତି ତେବେ ପୁଟିନ ଏହାକୁ ତାଙ୍କ ଦେଶ ବିରୁଦ୍ଧରେ ପାଶ୍ଚାତ୍ୟ ରାଷ୍ଟ୍ରର ଯୁଦ୍ଧ ବୋଲି ବିବେଚନା କରିବେ ଏବଂ ତାହା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ସାମ୍ବାଦିକଙ୍କର ଏ ସମ୍ପର୍କିତ ଏକ ପ୍ରଶ୍ନ ଶୁଣିବା ପରେ ୮୧ ବର୍ଷ ବୟସ୍କ ବାଇଡେନ ରାଗିଯାଇ ଜବାବ ଦେଇଥିଲେ, ମୁଁ କହିବା ପର୍ଯ୍ୟନ୍ତ ଚୁପ୍ ରୁହ । ହେଲା? ତେବେ ସାମ୍ବାଦିକ ଜଣକ ନିଜ ପ୍ରଶ୍ନ ବାରମ୍ବାର ପଚାରିବାରୁ ବାଇଡେନ ତାଙ୍କୁ ଗାଳିଦେଇ କହିଥିଲେ, ତମକୁ କୁହାଗଲା ଚୁପ୍ ରହିବାକୁ । ମୁଁ ସେ ସମ୍ପର୍କରେ ଏଠରେ ମୋର ବକ୍ତବ୍ୟ ରଖିବି ।
ପରେ ବାଇଡେନ କହିଥିଲେ, ପୁଟିନଙ୍କ ସମ୍ପର୍କରେ ସେ ବିଶେଷ କିଛି ଭାବୁନାହାନ୍ତି । ୟୁକ୍ରେନ ସହିତ ଯୁଦ୍ଧରେ ପୁଟିନ ତିଷ୍ଠି ରହିପାରିବେ ନାହିଁ । ଆମେରିକା ୟୁକ୍ରେନକୁ ସହାୟତା କରିବା ଏବଂ ତାହା ସହିତ ଛିଡା ହେବାକୁ ପ୍ରତିବଦ୍ଧ ରହିଛି । ତେଣୁ ପୁଟିନ ଯୁଦ୍ଧରେ ତିଷ୍ଠି ରହିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ୨୦୨୨ ଫେବୃଆରୀରେ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରଠାରୁ ଆମେରିକା ସରକାର ୟୁକ୍ରେନକୁ ଏପର୍ଯ୍ୟନ୍ତ ୫୫.୭ ବିଲିଅନ ଡଲାରରୁ ଅଧିକ ମୂଲ୍ୟର ସାମରିକ ସହାୟତା ଯୋଗାଇ ଦେଇଛନ୍ତି ।