ବାଂଲାଦେଶ: ବାଂଲାଦେଶରେ ଶେଖ୍ ହାସିନାଙ୍କ ପତ୍ତନ ପରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ପୁଣି ଏକ ଭାରତ ବିରୋଧୀ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ଢାକା ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର । ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ମିଲିଟାରୀ ଅଫିସର ମାନଙ୍କୁ ସମ୍ବୋଧନ କରିବା ସମୟରେ ପ୍ରଫେସର ଶାହିଦୁଜାମାନ ଏପରି ବିବୃତ୍ତି ଦେଇଛନ୍ତି । ଏହି ସମୟରେ ଭାରତକୁ ରୋକିବା ପାଇଁ ସୀମାରେ ପାକିସ୍ତାନୀ କ୍ଷେପଣାସ୍ତ୍ର ନିୟୋଜିତ କରିବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ପ୍ରଫେସର କହିଛନ୍ତି ଯେ, “ଭାରତ ବାଂଲାଦେଶର କିଛି ଅଞ୍ଚଳକୁ ଏହାର ପୂର୍ବ ରାଜ୍ୟ ସହିତ ମିଶ୍ରଣ କରିବାକୁ ଚାହୁଁଛି। ତେଣୁ ଭାରତର ଏହି ଅଭ୍ୟାସଗତ ଧାରଣାକୁ ପରିବର୍ତ୍ତନ କରିବାକୁ ହେଲେ ଆମକୁ ଆଣବିକ ଶକ୍ତିର ପରୀକ୍ଷା ଦେବାକୁ ପଡ଼ିବ। ଏହାର ଅର୍ଥ ଏଇଆ ନୁହେଁ ଯେ, ଆମକୁ ଆଣବିକ ଅସ୍ତ୍ର ତିଆରି କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି, ଆମେ ପାକିସ୍ତାନ ଆଡ଼କୁ ଯିବୁ। ପାକିସ୍ତାନର ବୈଷୟିକ ସହାୟତା ବିନା ଭାରତକୁ ବନ୍ଦ କରାଯାଇପାରିବ ନାହିଁ। ପାକିସ୍ତାନର ହୃଦୟ ଈର୍ଷାପରାୟଣ ଯେ, ଆମେ ସେମାନଙ୍କ ନିକଟରେ କ୍ଷମା ମାଗିବା ସେମାନେ ଚାହାନ୍ତି ନାହିଁ। କିନ୍ତୁ ଆମେ ଭାରତ ସହିତ ରହିବାକୁ ମଧ୍ୟ ସେମାନେ ମଧ୍ୟ ଚାହାନ୍ତି ନାହିଁ । ଆମକୁ ଭାରତରୁ ବଞ୍ଚାଇବା ପାଇଁ ସେମାନେ କିଛି କରିବାକୁ ପ୍ରସ୍ତୁତ। ଏଣୁ ଆମକୁ ପାକିସ୍ତାନରୁ ଆଣବିକ କ୍ଷେପଣାସ୍ତ୍ର ଆଣିବା ସହିତ ଏହାକୁ ଭାରତୀୟ ସୀମାରେ ନିୟୋଜିତ କରିବା ଉଚିତ।ସେଥିପାଇଁ ଆମକୁ ପାକିସ୍ତାନ ସହିତ ପରମାଣୁ ଚୁକ୍ତି କରିବାକୁ ପଡ଼ିବ । ପାକିସ୍ତାନ ସର୍ବଦା ବାଂଲାଦେଶର ଏକ ବିଶ୍ୱସ୍ତ ସୁରକ୍ଷା ସହଯୋଗୀ ହୋଇଆସିଛି। ଭାରତ ଆମକୁ ବିଶ୍ୱାସ କରିବାକୁ ଚାହୁଁନାହିଁ। ଏଣୁ ବାଂଲାଦେଶ ପାକିସ୍ତାନ ଆଡକୁ ଢ଼ଳିବା ଉଚିତ।”
ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ପ୍ରାୟ ୩ ଶହ ଜଣଙ୍କ ମୃତ୍ୟୁ ହେବା ପରେ ଦେଶ ଅଣାୟତ୍ତ ହୋଇପଡ଼ିଥିଲା। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା । ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦେଶ ଛାଡ଼ି ବାଂଲାଦେଶ ବାୟୁସେନାର C-130 ବିମାନ ଯୋଗେ ଢାକାରୁ ଭାରତ ଆସିଥିଲେ । ବିମାନ ଯୋଗେ ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଓହ୍ଲାଇ ନୂଆଦିଲ୍ଲୀ ଯାଇଥିଲେ । ଶେଖ୍ ହାସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତ ଆସିଥିବା କୁହାଯାଉଛି ।