ନିତିନ ଗଡକରୀଙ୍କୁ ମିଳିଥିଲା ପିଏମ୍ ପୋଷ୍ଟ ଅଫର, କିଏ ଦେଇଥିଲା ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ
ବିରୋଧୀ ଦଳର ଜଣେ ବଡ଼ ନେତା ମତେ ଯୋଗାଯୋଗ କରିଥିଲେ । ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡରେ ରହିଲେ ସେ ମତେ ସମର୍ଥନ କରିବେ । କିନ୍ତୁ ମୁଁ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏପରି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ।
ଏକ ସାମ୍ବାଦିକ ପୁରସ୍କାର ବିରତଣ ଉତ୍ସବରେ ଯୋଗଦେଇ ନିତିନ ଆହୁରି କହିଛନ୍ତି, ମୁଁ ତାଙ୍କୁ ପ୍ରଶ୍ନ କରିଥିଲି “ସେ କାହିଁକି ମୋତେ ସମର୍ଥନ କରିବାକୁ ଚାହୁଁଛନ୍ତି? ତା ଛଡ଼ା ମୁଁ କାହିଁକି ଆପଣଙ୍କ ସମର୍ଥନ ନେବି ବୋଲି ମଧ୍ୟ ପଚାରିଥିଲି ।”
ସେହିପରି “ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ। ମୁଁ ମୋର ଧାରଣା ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ ରହିବାକୁ ଚାହେଁ। ବିଶ୍ୱାସ ଆମ ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି । କୌଣସି ବି ପଦବୀ ପାଇଁ ମୁଁ ମୋର ଧାରଣା ତଥା ଚିନ୍ତାଧାରା ସହ ବୁଝାମଣା କରିବାକୁ ଚାହେଁନାହିଁ ବୋଲି ନିତିନ ଶୁଣାଇ ଦେଇଥିଲେ । ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର, ଗଣତନ୍ତ୍ରକୁ ମଜବୁତ କରିବାରେ ନୀତିଆଦର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମତ ଦେଇଥିଲେ ନିତିନ ।
ସେପଟେ ଗଡକରୀଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଜେଡି ନେତା ମନୋଜ ଝା । ବିଜେପି ଭିତରେ ପଦବୀ ସହିତ ପ୍ରାଇମ ମିନିଷ୍ଟର ପଦ ପାଇଁ ଯୁଦ୍ଧ ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି । ଏହି ଯୁଦ୍ଧ ଲୋକସଭାରେ ୨୭୨ ଟି ଆସନର କମ୍ ସଂଖ୍ୟା ଗରିଷ୍ଠତା ଓ ଟିଡିପି ଏବଂ ଜେଡିୟୁ ମେଣ୍ଟ ଯୋଗୁଁ ବୋଲି ମନୋଜ ଦର୍ଶାଇଛନ୍ତି। “ବିଜେପିରେ ସ୍ଥିତିର ଯୁଦ୍ଧ ଚାଲିଛି ଏହାର ଫଳାଫଳ ଆସନ୍ତା କିଛି ମାସ ମଧ୍ୟରେ ଦେଖାଯିବ ବୋଲି ମନୋଜ ଝା କହିଛନ୍ତି । ତେବେ ଗଡକରୀ ବୟାନ ପରେ ଏବେ ଚାରିଆଡେ ଗୋଟିଏ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାପାଇଁ ଗଡକରୀଙ୍କୁ ଉସକେଇଥିବା ବିରୋଧୀ ଦଳର ନେତା ଜଣଙ୍କ କିଏ?