ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ ବୃଦ୍ଧି ପାଉଥିବା ବେଳେ ଖାଉଟି ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ତାଳ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରି ସାଧାରଣ ଖାଉଟିଙ୍କୁ ସିଧାସଳଖ ଅସୁବିଧାରେ ପକାଇଛନ୍ତି।
ଏହି ଶୁଳ୍କ ବୃଦ୍ଧି ଯୋଗୁଁ ଖୁଚୁରା ବଜାରରେ ଖାଇବା ତେଲ ଦରରେ ପ୍ରାୟତଃ ୨୦ ଟଙ୍କା ବୃଦ୍ଧି ଘଟିଛି। ରିଫାଇନ୍ ତେଲର ପ୍ରଭାବୀ ଆମଦାନି ଶୁଳ୍କ ୧୩.୭୫% ପରିବର୍ତ୍ତେ ୩୫.୭୫ %କୁ ବୃଦ୍ଧି କରାଯାଇଛି। କିଛିଦିନ ତଳେ ଦେଶରେ ତୈଳବୀଜ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ଏହା କରିଛନ୍ତି ବୋଲି ସଫେଇ ଦେଇଥିଲେ ମଧ୍ୟ ଦେଶ ଭିତରେ ତୁରନ୍ତ ତେଲ ଦର ମହଙ୍ଗା ସାଧାରଣ ଖାଉଟିଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଜତ୍ନ ୧୩ ତାରିଖରେ କେନ୍ଦ୍ର ସରକାର ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଲଗାଇବା ସହିତ ଏହାକୁ ୧୪ ତାରିଖରୁ ଲାଗୁ କରିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ସେହିପରି ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫% ରୁ ୨୭.୫% କୁ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ପାଇକରୀ ବଜାରରେ ପୂର୍ବରୁ ସୋରିଷ ତେଲ ଲିଟର ପିଛା ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଥିବା ଏବେ ଏହା ୧୫୭ ଟଙ୍କାକୁ ବୃଦ୍ଧି ପାଇଛି। ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ଲିଟର ପିଛା ୧୧୦ରୁ ୧୧୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୨୨ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୯୦ରୁ ୯୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୧୦୭ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ବର୍ଦ୍ଧିତ ତେଲ ଦର ଯୋଗୁ ଖୁଚୁରା ବ୍ୟବସାୟୀମାନେ ମହଜୁଦ ଥିବା ପୁରୁଣା ତେଲକୁ ନୂଆ ଦରରେ ବିକ୍ରି କରି ମନଇଚ୍ଛା ଲାଭ ରଖୁଛନ୍ତି।