ଗତ କିଛି ଦିନରୁ ରାଜ୍ୟରେ ଲଗାତାର ଭାବେ ଲଘୁଚାପ ଫଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ବି ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଗାଣ ବର୍ଷାରେ ମୟୁରଭଞ୍ଜ, ବାଲେଶ୍ବର ସ୍ଥିରୀ ସଂଗୀନ ହେବାପରେ ଏବେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳ ବର୍ଷିବା ନେଇ ଆକଳନ କରାଯାଇଛି। ତେବେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ୨ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ କରି ଦିଆଯାଇଛି। ସେହିପରି ରାସ୍ତାରେ ଯାତାୟାତ ସମସ୍ୟା ହୋଇପାରେ ସହ କଚା ଘର ଭାଙ୍ଗିପାରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ସୁନ୍ଦରଗଡ଼ ଏବଂ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର ଏବଂ ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଥିବା ବେଳେ ନଦୀ ପ୍ରବଳ ବର୍ଷା ଯୋଗୁଁ ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଏହା ଯୋଗୁଁ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ସୁବର୍ଣ୍ଣରେଖା ନଦୀ ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି । ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ଜଳସ୍ତର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏହାର ପାଖାପାଖି ପାଣି ପ୍ରବାହିତ ହେଉଛି। ତେବେ ଯଦି ଏହି ପାଣି ବୃଦ୍ଧି ପାଏ ତାହେଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଥିବା ବେଳେ ବାଲିଆପାଳ , ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବାର ଆଶଙ୍କା କରା ଯାଉଛି। ସେହିପରି ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଛି।