ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ନୂଆ ସରକାର ଗଠନ ପରେ ଏହା ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଆଜି ମୋଦୀଙ୍କ ଜନ୍ମଦିନ ହୋଇଥିବା ବେଳେ ଏହି ଅବସରରେ ଆଜି ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୫୦ ସମୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଦିନ ୧୧ଟା ୧୦ ମିନିଟ୍ ସମୟରେ ଗାଡ଼କଣ ବସ୍ତିକୁ ଯିବେ। ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିବେ। ଏହାପରେ ଗୋଠପାଟଣାସ୍ଥିତ ସ୍ପୋର୍ଟସ ଭ୍ୟାଲିର ଶିଳାନ୍ୟାସ କରିବା ସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ। ସେଠାରୁ ସିଧା ସଳଖ ବାହାରି ଦିନ ୧୧ ଟା ୫୫ ମିନିଟ୍ ସମୟରେ ଜନତା ମଇଦାନରେ ପହଞ୍ଚିବେ। ଆଉ ସେଠାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ସହ ସାଧାରଣ ସଭାକୁ ସମ୍ଭୋଧିତ କରିବେ। ଏହାସହ ୨୮୦୦ କୋଟି ଟଙ୍କା ରେଳ ପ୍ରକଳ୍ପ ସହ ୧ ହଜାର କୋଟିର ଏନଏଚ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ପରେ କାର୍ଯ୍ୟକ୍ରମ ଶେଷ ଦିନ ୧ଟା ୨୦ ମିନିଟ୍ ସମୟରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।
ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି। ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ଟି ସେଡ୍ କରାଯାଇ ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେହିପରି ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ମଧ୍ୟ ସୁବ୍ୟବସ୍ଥା ହୋଇଛି। ମିଳିଥିବା ସୂଚନା ଅନୁସାରେ, ଜନତା ମଇଦାନରେ ପହଞ୍ଚିବା ପରେ ୭ ନମ୍ବର ଗେଟ ଦେଇ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ରାସ୍ତାରେ ମୋଦୀଙ୍କ କାର୍କେଡ ପ୍ରବେଶ କରିବ। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ଦର୍ଶକଙ୍କ ପ୍ରବେଶ ପାଇଁ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ରେ ବ୍ୟବସ୍ଥା ହୋଇଛି।
ପ୍ରକାଶଥାଉ କି, ସୁଭଦ୍ରା ଯୋଜନାରେ ପ୍ରଥମ ଦିନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବାକୁ ଥିବା ବେଳେ ଏହି ଯୋଜନାରେ ପ୍ରାୟ ୧ କୋଟିରୁ ଅଧିକ ୨୧ ବର୍ଷରୁ ୬୦ ବର୍ଷ ମହିଳା ମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଜମା ଖାତାକୁ ଯିବ। ତେବେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ୬୦ ଲକ୍ଷରୁ ଅଧିକ ମହିଳା ନାମ ପଞ୍ଜିକରଣ କରିସାରିଛନ୍ତି।