ଭୁବନେଶ୍ୱର: ଆସନ୍ତା ୧୮ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡିଶା ଆଥଲେଟିକ୍ସ ଅସୋସିଏସନର ମିଳିତ ଉଦ୍ୟମ କଳିଙ୍ଗ ଷ୍ଟାଡିଅମ୍ରେ ଅନୁଷ୍ଠିତ ହେବାକୁ ଯାଉଛି ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍ସିପ୍। ଅନୁଷ୍ଠିତ ହେବାକୁ ଥିବା ଏହି ୩ ଦିନିଆ ପ୍ରତିଯୋଗିତାରେ ରାଜ୍ୟର ୨୬୮ ମହିଳା କ୍ରୀଡ଼ାବିତଙ୍କ ସମେତ ୩୦ଟି ଜିଲାର ପ୍ରାୟ ୯୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବା ପାଇଁ ଯାଉଛନ୍ତି। ଓଡ଼ିଶା-ରିଲାୟନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଓ ଓଡିଶା ସରକାରଙ୍କ କ୍ରୀଡା ଛାତ୍ରାବାସରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନଙ୍କ ସମେତ ଓଡ଼ିଶା ପୋଲିସ, ପୋଷ୍ଟାଲ୍ ସେବା, ବିଏସ୍ଏନ୍ଏଲ୍ ଓ କିଟ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଂଶଗ୍ରହଣକାରୀମାନେ ଏହି କ୍ରୀଡ଼ା ପ୍ରତିଯୋଗିତା ଭାଗ ନେବେ।ସେହିପରି ସୁନ୍ଦରଗଡ ଏବଂ କଟକ ଜିଲ୍ଲାରୁ ୭୧ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ଏହି ଦୁଇଟି ଜିଲ୍ଲା ରୁ ୨୮ ଜଣ ଲେଖାଏଁ ମୋଟ ୫୬ ଜଣ ମହିଳା ବିଭିନ୍ନ ଟ୍ରାକ୍ ଓ ଫିଲ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ।
ଓଡ଼ିଶା ଆଥଲେଟିକ୍ସ ଅସୋସିଏସନର ଶ୍ରୀ ପ୍ରବୋଧ ମହାନ୍ତିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚ୍ୟାମ୍ପିଅନ୍ସିପ୍ କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭବିଷ୍ୟତରେ ସହାଯ୍ୟ କରିବ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, “ଏହି ପ୍ରତିଯୋଗିତାରୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କୁ ଚୟନ କରିବା ପାଇଁ ଯାଉଛୁ ଯାହା ତାଙ୍କୁ ଜାତୀୟ ସ୍ଥରରେ ଖେଳିବା ପାଇଁ ଅଧିକ ଅଭିଜ୍ଞତା ଦେବାକୁ ସାହାଯ୍ୟ କରିବ। ଯୋଗ୍ୟ କ୍ରୀଡ଼ାବିତମାନେ ୨୮ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପାଟନାରେ ଆୟୋଜିତ ହେବାକୁ ଥିବା ୪ର୍ଥ ଇଣ୍ଡିଆ ଓପେନ ଅଣ୍ଡର-୨୩ ଏଥଲେଟିକ୍ସ ପ୍ରତିଯୋଗିତା ୨୦୨୪ରେ ଅଂଶଗ୍ରହଣ କରିବେ।”
ସେହିପରି କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରଧାନ ସଚିବ ଭାସ୍କର ଜ୍ୟୋତି ଶର୍ମା କଳିଙ୍ଗ ଷ୍ଟାଡିଅମ୍ରେ ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ନେଇ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “ଏହି ଚ୍ୟାମ୍ପିଅନ୍ସିପ୍ କ୍ରୀଡ଼ାକୁ ଆଗକୁ ନେବାରେ ଓ କ୍ରୀଡ଼ାବିତ ମାନଙ୍କ ଭବିଷ୍ୟତ ଗଢିତୋଳିବାରେ ସରକାର ଙ୍କର ପ୍ରତିବଦ୍ଧତା କୁ ପ୍ରତିପାଦିତ କରେ। ମୁଁ ସମସ୍ତ ପ୍ରତିଯୋଗୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ଏବଂ ଆଶା କରୁଛି ଯେ ସେମାନଙ୍କ ପାଇଁ ଏହି ପ୍ରତିଯୋଗିତା ଅବିସ୍ମରଣୀୟ ହୋଇ ରହିବ।”