ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୨୦୧୯ ଅଗଷ୍ଟରେ ହୋଇଥିବା ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ। ପ୍ରାୟ ୧୦ ବର୍ଷ ପରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ମତଦାନ ଆରମ୍ଭ ହୋଇଥିବା ବେଳେ ସମୁଦାୟ ୯୦ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ କଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ଟି ଆସନ ଏବଂ ଜମ୍ମୁ ଡିଭିଜନର ରାମବନ, କିସ୍ତୱାଡ଼ା ଓ ଡୋଡାର ୮ ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ ହେଉଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଏହି ପର୍ଯ୍ୟାୟରେ ମୋଟ୍ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩,୨୭,୫୮୦ ମତଦାତା। ସେମାନଙ୍କ ମଧ୍ୟରୁ ୧୧,୭୬,୪୬୨ ଜଣ ପୁରୁଷ, ୧୧,୫୧,୦୫୮ ଜଣ ମହିଳା ଏବଂ ୬୦ ଜଣ ତୃତୀୟଲିଙ୍ଗୀ ଭୋଟର ରହିଥିବା ବେଳେ ୧.୨୩ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ଅଟେ । ସେହିପରି ୨୮,୩୦୯ ଜଣ ଭୋଟର ଭିନ୍ନକ୍ଷମ ଏବଂ ୮୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଭୋଟର ସଂଖ୍ୟା ୧୫,୭୭୪। ଏଥିପାଇଁ ସମୁଦାୟ ୩,୨୭୬ଟି ବୁଥ୍ କରାଯାଇଥିବା ବେଳେ ୧୪,୦୦୦ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି। ସେଥିରୁ ୩୦୨ଟି ବୁଥ୍ ସହରାଞ୍ଚଳରେ ଓ ୨,୯୭୪ଟି ବୁଥ ଗ୍ରାମାଞ୍ଚଳରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୨୫ରେ ଓ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଅକ୍ଟୋବର ୧ରେ ହେବ। ଅକ୍ଟୋବର ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସୂଚନାଯୋଗ୍ୟ ଯେ, ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାରଣ ସେଠାରେ କଂଗ୍ରେସ ଓ ଏନସି ମେଣ୍ଟ ବିଜେପି ବିରୋଧରେ ନିର୍ବାଚନ ଲଢୁଛି।
ପ୍ରକାଶଥାଉ କି, ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ। ତେବେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ମତଦାନକୁ ମୁକ୍ତ ଓ ଅବାଧ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସର୍ବାଧିକ ସଂଖ୍ୟାରେ ଭୋଟର ଯେପରି ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ଗୁରୁତ୍ୱ ଦିଆଯାଇଥିବା କଶ୍ମୀର ଜୋନ୍ ପୋଲିସ ଆଇଜି ଭି.କେ. ବିର୍ଦିଙ୍କ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବଳ (ସିଏପିଏଫ୍), ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସଙ୍କୁ ନିୟୋଜିତ କରାଯାଇଥିବା ଆଇଜିଙ୍କ ପକ୍ଷରୁ କୁହାଯାଇଛି।