ଭୁବନେଶ୍ବର : ଗତ କିଛି ଦିନରୁ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାପରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଡଃ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ତେବେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଆଗକୁ ସ୍ପଷ୍ଟ ହୋଇ ପାରିବ ବୋଲି ଡଃ. ସାହୁ କହିଛନ୍ତି।
ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳସ୍ତର କ୍ରମଶଃ କମୁଥିବା ଦେଖାଯାଇଛି । ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ୍ର ତଳିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାର ୬ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛି। ଜିଲ୍ଲାର ୧୪୧ଟି ଗାଁର ୩୫,୬୫୪ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୧,୬୩୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ମୟୂରଭଞ୍ଜର ୧୦୧ଟି ଗାଁର ୨୦୩୫ ଜଣ ପ୍ରଭାବିତ ହୋଇଥିବା ବେଳେ ୧୬୦୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩୩୪ଟି ଘର କ୍ଷତିଗ୍ରସ୍ତ ହୋଇଛି।