ବାଲିଗୁଡ଼ା: ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସୁଭଦ୍ରା ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ ଯୋଜନାକୁ ନେଇ ସରୁନି ମହିଳା ମାନଙ୍କ ଟେନସନ୍ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଟଙ୍କା ପାଇବା ପାଇଁ ମହିଳା ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ଅଞ୍ଚଳର କିଛି ମହିଳା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇଥିବା ବେଳେ ଅନେକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନାହିଁ। ତେବେ କେୱାଇସି ଅପଡେଟ୍ ହୋଇନଥିବା ଏବଂ ବ୍ୟାଙ୍କ ଖାତାରେ ଆଧାର କାର୍ଡ ସଂଯୋଗ ହୋଇଥିବା କାରଣରୁ ଏହି ଟଙ୍କା ଆସି ନଥିବା କୁହାଯାଉଛି । ଅପରପକ୍ଷେ ବିଭିନ୍ନ ସମସ୍ୟା ପାଇଁ ଆଜି ପର୍ଯ୍ୟନ୍ତ ଅନେକ ମହିଳା ଆବେଦନ ମଧ୍ୟ କରିପାରିନାହାନ୍ତି । ତେଣୁ ଏବେ କେୱାଇସି ଅପଡେଟ୍ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା ପାଇଁ ବାଲିଗୁଡ଼ାର ବିଭିନ୍ନ ଜନସେବା କେନ୍ଦ୍ର ଆଗରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ମହିଳାମାନେ ପିଲାଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଠିଆ ହୋଇ ଅପେକ୍ଷା କରୁଥିବା ବେଳେ କିଛି ଜନସେବା କେନ୍ଦ୍ରର ଅପରେଟର ଲୋକଙ୍କଠାରୁ ଆଧାର ସଂଯୋଗ କରିବା ପାଇଁ ୧୦୦ ଟଙ୍କା ଲେଖାଏଁ ନେଇ ମଧ୍ୟ ଆଧାର ସଂଯୋଗ କରିନଥିବା ଅଭିଯୋଗ ହେଉଛି ।