ଭୁବନେଶ୍ୱର: ପଶ୍ଚିମବଙ୍ଗ ଘଟଣା ପରେ ସାରା ଦେଶରେ ଡାକ୍ତରମାନଙ୍କ ମନରେ ଭୟ ପଶିଛି । କେବଳ ଡାକ୍ତର ନୁହନ୍ତି, ଡାକ୍ତରୀ ଛାତ୍ର ଛାତ୍ରୀ, ନର୍ସ, ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଏଭଳି ଘଟଣାକୁ ନେଇ ସରକାର ମଧ୍ୟ ଚିନ୍ତାରେ ପଡିଛନ୍ତି । ଚବିଶ ଘଣ୍ଟିଆ ରୋଗୀ ସେବା କରୁଥିବା ଡାକ୍ତରମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତି ଚାଲିଛି । ଓଡ଼ିଶାରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସବୁ ହସପିଟାଲରେ ସିସିଟିଭି କ୍ୟାମେରା ଖଞ୍ଜାଯିବ । ରାଜ୍ୟ ସରକାର ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଛାତ୍ରାବାସର ସମସ୍ତ ମହଲା ଏବଂ ମୁଖ୍ୟ ଫାଟକ ତଥା ସଡ଼କରେ ସିସିଟିଭି କ୍ୟାମେରା ଖଞ୍ଜାଯିବ । ସିସିଟିଭି ଫୁଟେଜ ଦେଖିବା ନିମନ୍ତେ କଂଟ୍ରୋଲ ରୁମ୍ ସ୍ଥାପନ ହେବ, ଯେଉଁଥିରେ ଅତି କମ୍ରେ ତିନିମାସ ତଳର ଦୃଶ୍ୟଗୁଡିକ ରେକର୍ଡ ହୋଇ ରହିବ । ଏହାସହିତ ଚବିଶ ଘଣ୍ଟିଆ ଉଭୟ ପୁରୁଷ ଓ ମହିଳା ସୁରକ୍ଷା କର୍ମୀଙ୍କୁ ୱାର୍ଡ ବାହାରେ ଏବଂ ସମସ୍ତ ଓପିଡିଗୁଡିକରେ ମୁତୟନ କରାଯିବ । ବିଜ୍ଞପ୍ତିରେ ଆଉ ମଧ୍ୟ କୁହାଯାଇଛି ଯେ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ବିରୋଧରେ କୋ÷ଣସି ହିଂସାକାଣ୍ଡ ଘଟିଲେ ତାହାର ଛଅଘଣ୍ଟା ମଧ୍ୟରେ ପୋଲିସରେ ଏତଲା ଦିଆଯିବ । ତାହାସହିତ ଏ କ୍ଷେତ୍ରରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (ଏନଏମସି)ଙ୍କ ନିକଟରୁ ୪୮ ଘଣ୍ଟା ମଧ୍ୟରେ ତତ୍ସମ୍ପର୍କିତ ରିପୋର୍ଟ ପଠାଯିବ ।
ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ସେମାନଙ୍କ କର୍ମଚାରୀଙ୍କ ପାଇଁ ଡ୍ରେସ କୋଡ ଓ ପରିଚୟ ପତ୍ର ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି । ତାହାସହିତ ଇନ୍ଡୋର ରୋଗୀଙ୍କର ସମ୍ପର୍କୀୟଙ୍କ ପାଇଁ ଭିଜିଟର୍ସ ପାସ ବାଧ୍ୟତାମୂଳକ କରାଯାଇଛି । ପ୍ରତି ରୋଗୀଙ୍କ ନିମନ୍ତେ ମାତ୍ର ଦୁଇଟି ପ୍ରବେଶ ପାସ୍ ମିଳିବ । ଗୋଟିଏ ଘୋଷିତ ପରିଦର୍ଶନ ସମୟ ମଧ୍ୟରେ ରୋଗୀଙ୍କୁ ଭେଟିବାକୁ ଏବଂ ଦ୍ୱିତୀୟଟି ରୋଗୀ ସହାୟକଙ୍କୁ ୱାର୍ଡ ମଧ୍ୟକୁ ପ୍ରବେଶ ନିମନ୍ତେ ଉଦ୍ଦିଷ୍ଟ ରହିବ । ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ପୋଲିସ ଫାଣ୍ଡି ସ୍ଥାପନ ପାଇଁ କୁହାଯାଇଛି, ଯେଉଁଠାରେ ଅତି କମ୍ରେ ଜଣେ ମହିଳା ପୋଲିସ ଅଧିକାରୀ ଉପସ୍ଥିତ ରହିବେ ।