ଭୁବନେଶ୍ବର : ଗତ କିଛି ଦିନରୁ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୩ ତାରିଖ ସୁଦ୍ଧା ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ମିଆଁମାର ସଂଲଗ୍ନ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ୨୨ ତାରିଖ ବେଳକୁ ପାରାଦ୍ବୀପ ସଂଲଗ୍ନ ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଏହାର ପରବର୍ତ୍ତୀ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ପ୍ରାୟତଃ ଏହା ସମ୍ବଲପୁର ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇପାରେ। ଏହି ସମୟରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଏହା ୩ ଦିନ ପର୍ଯ୍ୟନ୍ତ ବର୍ଷିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି ଏବଂ ରାୟଗଡା ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଥିବା ବେଳେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୨ ତାରିଖରୁ ତିନିଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି।