ଭୁବନେଶ୍ବର : ଗତ କିଛି ଦିନରୁ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୩ ତାରିଖ ସୁଦ୍ଧା ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ମିଆଁମାର ସଂଲଗ୍ନ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଲଘୁଚାପ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ୨୨ ତାରିଖ ବେଳକୁ ପାରାଦ୍ବୀପ ସଂଲଗ୍ନ ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଏହାର ପରବର୍ତ୍ତୀ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ପ୍ରାୟତଃ ଏହା ସମ୍ବଲପୁର ଦେଇ ଛତିଶଗଡ ଓ ମଧ୍ୟପ୍ରଦେଶ ଆଡକୁ ମୁହାଁଇପାରେ। ଏହି ସମୟରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଏହା ୩ ଦିନ ପର୍ଯ୍ୟନ୍ତ ବର୍ଷିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ କଟକ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ରାୟଗଡା ଏବଂ କଳାହାଣ୍ଡି ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୨ ତାରିଖରୁ ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି। ଏହା ସହ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ନେଇ ସୂଚନା ମିଳିଛି।