ୱାଶିଂଟନ: ଏଠାରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତଦେହ ମିଳିଛି । ଏକ ବିବୃତିରେ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୧୮ରେ ଉକ୍ତ କର୍ମଚାରୀଙ୍କର ପ୍ରାଣହାନି ଘଟିଥିଲା । ଘଟଣା ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି, ଯଦ୍ୱାରା ତାଙ୍କ ମୃତଦେହକୁ ଭାରତ ପଠାଯାଇପାରିବ । ତେବେ ଦୂତାବାସ ପରିସରରେ ଏହି କର୍ମଚାରୀଙ୍କର କିଭଳି ମୃତୁ୍ୟ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।
ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ସମ୍ପର୍କରେ ପ୍ରକାଶ କରି ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ଆମେରିକାର ଗୋଇନ୍ଦା ସେବା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଏବଂ ତାଙ୍କ ମୃତୁ୍ୟ ସମ୍ପର୍କରେ ସବୁଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଏହା ସମ୍ଭବତଃ ଏକ ଆତ୍ମହତ୍ୟା ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି ।