ଶନିବାରଠାରୁ ୩ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ଏହି ସମୟରେ ସେ ଆମେରିକାର ୱିଲମିଂଟନରେ ଆୟୋଜିତ ହେବାକୁ ଥିବା କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ ହେବା ସହ ଜାତିସଂଘ ମହାସଭାର ଫ୍ୟୁଚର ସମ୍ମିଟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକା ଗସ୍ତ ପୂର୍ବରୁ ମୋଦି ତାଙ୍କ ସୋସିଆଲ ମିଡ଼ିଆ ଏକ୍ସ ସୂଚନା ଦେଇଛନ୍ତି ଯେ, ”ମୁଁ ତିନି ଦିନିଆ ଆମେରିକା ଗସ୍ତରେ ଯାଉଛି । ସେଠାରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ହୋମଟାଉନ ୱିଲିଂଟନରେ ଆୟୋଜିତ ‘କ୍ୱାଡ ସମ୍ମିଳନୀ’ରେ ଅଂଶଗ୍ରହଣ କରିବି । ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଭାର ଫ୍ୟୁଚର ସମ୍ମିଳନୀକୁ ସମ୍ବୋଧିତ କରିବି । ମୋର ବନ୍ଧୁ, ରାଷ୍ଟ୍ରପତି ବାଇଡେନ, ପ୍ରଧାନମନ୍ତ୍ରୀ ଆଲବାନେସ ଏବଂ କିସିଦାଙ୍କ ସହ ଏହି ସମ୍ମିଳନୀରେ ଯୋଗ ଦେବାକୁ ବେଶ ଉତ୍ସାହିତ ଅଛି । ଏହି ସମ୍ମିଳନୀ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର’ରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରିବାକୁ ସମାନ ବିଚାର ଧାରା ଦେଶର ଏକ ପ୍ରମୁଖ ଗୋଷ୍ଠୀ ଭାବରେ ଉଭା ହୋଇଛି । ”
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭାରତ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଆମେରିକାର ଅନୁରୋଧ କ୍ରମେ ଭାରତ ୨୦୨୫ରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବ। ଚଳିତ ବର୍ଷ ଆମେରିକାର ୱିଲମିଂଟନରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ଏଥିରେ ଯୋଗ ଦେଇଥିବା ସମସ୍ତ ସଦସ୍ୟ ଦେଶର ନେତାମାନେ କ୍ୱାଡର ଅଗ୍ରଗତିର ସମୀକ୍ଷା କରିବେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେସ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ମଧ୍ୟ ଯୋଗ ଦେବେ। ଏହାସହିତ ମୋଦୀ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଏକ ଶିଖର ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ। ତେବେ ଏହି କାର୍ଯ୍ୟକ୍ରମ ପରେ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।