ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ତୃତୀୟ ସପ୍ତାହରେ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭଙ୍ଗାଯିବ। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଚି। ଓଡିଶା ଭବନ ଦିଲ୍ଲୀ ଗସ୍ତ ସମୟରେ ରାଜ୍ୟର ବିଶିଷ୍ଟ ଓ ଅତିବିଶିଷ୍ଟ ବ୍ୟକ୍ତିଙ୍କ ରହଣି ନିମନ୍ତେ ବ୍ୟବହାର ହେଉଥିବା ବେଳେ ଏଠାରେ ରହଣି ଅସୁରକ୍ଷିତ ଥିବା ଦୃଷ୍ଟିରୁ ଏହାକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଭାଙ୍ଗି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏଠାରେ ୭ ମହଲା ବିଶିଷ୍ଟ ଏକ ନୂଆ କୋଠା ନିର୍ମାଣ କରାଯିବ। ଏ ନେଇ ଦିଲ୍ଲୀ ବିକାଶ ପ୍ରାଧିକରଣକୁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ନୂଆ ଓଡିଶା ଭବନରେ ୮୦ଟି କୋଠରୀ ଓ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ରହିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ମାସ ୧୦ ତାରିଖରୁ ଅତିଥି ମାନଙ୍କ ରହଣି ପାଇଁ ବୁକିଂ ବନ୍ଦ କରି ଦିଆଯାଇଥିବା ବେଳେ ଏହି ସମୟରେ ବିକଳ୍ପ ଭାବେ ଓଡିଶା ଭବନକୁ ଲାଗି ରହିଥିବା ଅଶୋକ ହୋଟେଲରେ ସମସ୍ତ ଅତିଥିଙ୍କ ରହିବା ବ୍ୟବସ୍ଥା ହେବ।
ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ଚାଣକ୍ୟପୁରୀଠାରେ ନିର୍ମିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନଓ ଓଡ଼ିଶା ଭବନର ସୁରକ୍ଷା ଅଡିଟ୍ ପାଇଁ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେଣୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅଡିଟ୍ କରାଯାଇ ୨୦୨୨ ଏପ୍ରିଲ୍ ୧୯ ତାରିଖରେ ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ଏବଂ ୨ରୁ ୩ବର୍ଷ ମଧ୍ୟରେ ଏହି ଭବନକୁ ଭାଙ୍ଗିବା ଆବଶ୍ୟକ ବୋଲି ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ମତ ଦେଇଥିଲେ। ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ରାଜ୍ୟ ସରକାରଙ୍କୁ ଓଡିଶା ଭବନକୁ ମରାମତି କରିବା ସମିଚୀନ ନୁହେଁ ଏବଂ ଏହା ରହଣି ପାଇଁ ଅସୁରକ୍ଷିତ ବୋଲି ଅବଗତ କରାଇଥିଲେ। ତେବେ ଏହି ନିଷ୍ପତ୍ତି ଉପରେ ବିଚାର କରି ଓଡିଶା ଭବନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବାସହ ଯଥାଶୀଘ୍ର ଏହାକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।