ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ଥିବା ବିଶ୍ବପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଭୋଗଲଡୁରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହେବା ପରେ ଏହି ପ୍ରସାଦ ଲଡୁ ପ୍ରସଙ୍ଗକୁ ନେଇ ଶୁକ୍ରବାର ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ଏଭଳି ନିନ୍ଦନୀୟ କାର୍ଯ୍ୟ ଦ୍ବାରା ହିନ୍ଦୁ ସଂପ୍ରଦାୟଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବା ସହିତ ସେମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାରାଘାତ କରାଯାଇଥିବା ପିଟିସନରେ ଉଲ୍ଲେଖ ଅଛି। ଭଗବାନଙ୍କୁ ଅର୍ପଣ କରାଯାଉଥିବା ପ୍ରସାଦ ଲଡୁରେ ପଶୁ ଚର୍ବି ମିଶିତ ଘିଅ ମିଶ୍ରଣ ଏକ ଜଘନ୍ୟ ଅପରାଧ ବୋଲି ଏଥିରେ କୁହାଯାଇଛି। ଏହାସହିତ ଏ ଦିଗରେ ଆବଶ୍ୟକ ଅନୁସାରେ ସତର୍କତା ଅବଲମ୍ବନ କରିବା ପାଇଁ ତିରୁପତି ମନ୍ଦିର ପରିଚାଳନା ବୋର୍ଡକୁ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଏନେଇ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ମଗାଇବା ସହ ରିପୋର୍ଟ ଆସିବା ପରେ ଏହାର ସତ୍ୟତା ଯାଞ୍ଚ ପାଇଁ ବିଶେଷଜ୍ଞ କମିଟିର ସହାୟତା ଲୋଡାଯିବ ବୋଲି ନଡ୍ଡା ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ତିରୁପତି ବାଲାଜୀ ମନ୍ଦିରରେ ମିଳୁଥିବା ଏହି ଲଡୁର ଖୁବ୍ ଚାହିଦା ରହି ଆସିଥିବା ବେଳେ ଏହି ଲଡୁ ଭୋଗ ବିନା ଭଗବାନଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ଏହି ଲଡୁ ପ୍ରସ୍ତୁତ କରିବାର ଶୈଳୀ ନିଆରା ହୋଇଥିବା ବେଳେ ଏହାକୁ ତିଆରି କରିବା ସମୟରେ ଶୁଦ୍ଧତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ। ଦୈନିକ ପ୍ରାୟ ୮ ଲକ୍ଷ ଲଡୁ ତିଆରି କରିବା ପାଇଁ ୧୦ ଟନ ବେସନ, ୧୦ ଟନ ଚିନି, ୭୦୦ କେଜି କାଜୁ, ୧୫୦ କିଲୋ ଗୁଜୁରାତି, ୩୦୦ ରୁ ୪୦୦ ଲିଟର ଘିଅ, ୫୦୦ କିଲୋ ମିଶ୍ରି, ୫୪୦ କିଲୋ କିଶମିଶ ବ୍ୟବହାର କରାଯାଏ । କିନ୍ତୁ ଏହି ଲଡୁ ଭୋଗ ପାଇଁ ବ୍ୟବହୃତ ହେଉଥିବା ଘିଅରେ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଥିଲା । ଏନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିବା ପରେ ଏହି ଘିଅର ନମୁନା ଯାଞ୍ଚ ପାଇଁ ଗୁଜରାଟକୁ ପଠା ଯାଇଥିଲା । ତେବେ ଜାତୀୟ ଡାଏରୀ ବିକାଶ ବୋର୍ଡ ଲ୍ୟାବ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରସାଦ ପାଇଁ ବ୍ୟବହୃତ ହେଉଥିବା ଘିଅରେ ମାଛତେଲ, ସୋୟାବିନ୍ ତେଲ, ଏବଂ ପଶୁ ଚର୍ବି ଇତ୍ୟାଦି ମିଶ୍ରିତ ଥିବା ସ୍ପଷ୍ଟ ହୋଇଥିଲା ।