ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ଘୋଷଣା ହୋଇଯାଇଛି। ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଓଡ଼ିଆ ଭାଷାରେ ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ୨୦୨୪ ବର୍ଷ ପାଇଁ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ମନୋନୀତ ହୋଇଛନ୍ତି। ତାଙ୍କ ରଚିତ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳିବାକୁ ଯାଉଛି। ୨୦୧୯ ମସିହାରେ ପ୍ରକାଶିତ ଉପନ୍ୟାସ ‘ଅସ୍ଥିର ପାଦ’ ଜଣେ ଉଚ୍ଚାଭିଳାଷୀ ଯୁବକର କାହାଣୀ ଉପରେ ଆଧାରିତ। ତେବେ ଶ୍ରୀମତୀ ସାହୁଙ୍କ ନାମ ଘୋଷଣା ହେବାପରେ ତାଙ୍କ ପାଖକୁ ପାଠକ ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଅକ୍ଟୋବର ୨୬ ତାରିଖରେ ଶାରଳା ପୁରସ୍କାର ଉତ୍ସବ ଅବସରରେ ଶ୍ରୀମତୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ସୂଚନାଯୋଗ୍ୟ ଯେ, ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଓଡ଼ିଆ ଭାଷାରେ ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୮୦ ମସିହାରୁ ୪୫ ବର୍ଷ ଧରି ଏହି ଶାରଳା ପୁରସ୍କାର ଉତ୍ସବ ପ୍ରଦାନ କରାଯାଉଥିବା ବେଳେ ୨୦୦୧ ମସିହାରେ ସରୋଜିନୀଙ୍କ ସ୍ବାମୀ ଜଗଦୀଶ ମହାନ୍ତି ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ଏହି ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଭଗବାନ ଜୟସିଂହ, କାଳୀଦାସ ମିଶ୍ର, ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଓ ତାପସ କୁମାର ସାମନ୍ତରାୟ। ସେହିପରି ବିଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସୁଦର୍ଶନ ସାହୁ ଓ ବରିଷ୍ଠ କଣ୍ଠଶିଳ୍ପୀ ତାନସେନ୍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଏହି ସମ୍ମାନରେ ଉଭୟ ଭାସ୍କର୍ଯ୍ୟଶିଳ୍ପୀ ଶ୍ରୀ ସାହୁ ଓ କଣ୍ଠଶିଳ୍ପୀ ଶ୍ରୀ ସିଂଙ୍କୁ ୨ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ସୁସ୍ମିତା ଦାସ, ରତିକାନ୍ତ ଶତପଥୀ ଓ ଶରତ ନାୟକ ଏବଂ ଚିତ୍ରକଳା ବିଭାଗରେ ବୀରେନ୍ଦ୍ର ପାଣି, ପଞ୍ଚମୀ ମାନୁ ଉକୀଲ ଓ ସତ୍ୟଭୂଷଣ ହୋତା ବିଚାରକ ଥିଲେ।