ନୂଆଦିଲ୍ଲୀ: ‘ସାଧାରଣ ଲୋକଙ୍କ ଅପେକ୍ଷା ତଥା ସମାଜର ସକରାତ୍ମକ ଓ ସଠିକ୍ କଥାକୁ ନିର୍ଭୀକ ଭାବରେ ଉପସ୍ଥାପିତ କରିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ ହେବା ଆବଶ୍ୟକ। କୌଣସି ସାମ୍ବାଦିକ ଛୋଟ କିମ୍ବା ବଡ ନୁହେଁ । ମାତ୍ର ଖବର ସୁବୁବେଳେ ପ୍ରଭାବଶାଳୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଓଡ଼ିଶାର ବିକାଶ ଉପରେ ଅଧିକ ଚର୍ଚ୍ଚା ଓ ଆଲୋଚନା କରିବା । ରାଜ୍ୟ, ଦେଶ ଏବଂ ସମ୍ପୂର୍ଣ୍ଣ ମାନବତାର କଲ୍ୟାଣ ପାଇଁ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ପାଳନ କରିବା ସହିତ ଏ ଦିଗରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ ତଥା ଅଗ୍ରଣୀ।’ ଶନିବାର ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୪” ସମାରୋହରେ ଯୋଗ ଦେଇ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ। ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଯୋଗଦେବା ଅବସରରେ ଆଗାମୀ ପିଢିର ଯୁବ ସାମ୍ବାଦିକମାନେ ସମାଜରେ ନୂଆ ମାପଦଣ୍ଡ ତିଆରି କରନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ହିନ୍ଦୁସ୍ତାନର ମ୍ୟାନେଜିଙ୍ଗ୍ ଏଡିଟର ଶ୍ରୀ ପ୍ରତାପ ସୋମବଂଶୀ, ଆଇଏଏନଏସର କୋ-ପ୍ରମୋଟର ଶ୍ରୀ ସନ୍ଦିପ ବାମଜାଇ, ଇକୋନୋମିକ୍ ଟାଇମ୍ସର ଏକ୍ସିକ୍ୟୁଟିଭ୍ ଏଡିଟର ଶ୍ରୀ ପ୍ରଣବ ଧଳ ସାମନ୍ତ ଏବଂ ପଲ୍ଲୀବାଣୀ ମିଶନର ଚେୟାରମ୍ୟାନ ଶ୍ରୀ ରାମଚନ୍ଦ୍ର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ସାମ୍ବାଦିକ ମାନଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର ଏବଂ ପ୍ରତିଭା ପଟ୍ଟନାୟକ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ କରିବା ସହିତ ପୁରସ୍କୃତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜାତୀୟ ସ୍ତରର ବିଶିଷ୍ଟ ସାମ୍ବାଦିକମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ନିଜର ବ୍ରାଣ୍ଡ୍ ତିଆରି କରିଥିବା କହିଛନ୍ତି ମନ୍ତ୍ରୀ । ଏହାସହ ‘ପଲ୍ଲୀବାଣୀ’ ଓଡ଼ିଆ ସାମ୍ବାଦିକମାନଙ୍କୁ ପୁରସ୍କୃତ କରିବାର ଜାରି ରହିଥିବା ପରମ୍ପରା ପାଇଁ ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହି ଅବସରରେ ଟିଭି ସାମ୍ବାଦିକା ସୁଶ୍ରୀ ସିକ୍ତା ଦେଓ, କ୍ରୀଡ଼ା ସାମ୍ବାଦିକ ଶ୍ରୀ ସମ୍ବିତ୍ ମହାପାତ୍ର, ଓଟିଭି ରିପୋର୍ଟର ଶ୍ରୀ ମଧୁସୂଦନ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ଶଙ୍କର ନନ୍ଦ, ନ୍ୟୁଜ୍ ୧୮ର ସିନିୟର୍ ଏଡିଟର୍ ଶ୍ରୀ ନରେନ୍ଦ୍ର ଏନ୍ ଜେନା, ଅର୍ଗସ ନ୍ୟୁଜର ସୁଶ୍ରୀ ସତରୁପା ସାମନ୍ତରାୟଙ୍କୁ “ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୪” ପ୍ରଦାନ କରାଯାଇଥିଲା । ସେହିପରି ନ୍ୟୁଜ୍ ୭ର ଆଙ୍କର୍ ଶ୍ରୀମତୀ ଇତିଶ୍ରୀ ନାଏକଙ୍କୁ ‘ପ୍ରତିଭା ପଟ୍ଟନାୟକ ସାମ୍ବାଦିକ ଉତ୍କର୍ଷ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା ।