ନୂଆଦିଲ୍ଲୀ: ଚଳିତବର୍ଷ ସ୍କଚ୍ ସମିଟ୍ରେ ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମିଳିଛି ସମ୍ମାନଜନକ ‘ସ୍କଚ୍ ଆୱାର୍ଡ଼’ । ଶନିବାର ନୂଆଦିଲ୍ଲୀର ଲୋଧି ରୋଡ଼୍ସ୍ଥିିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ୯୯ତମ ସ୍କଚ୍ ସମିଟ୍ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗ ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ ଏବଂ ଆଇଟି କନ୍ସଲଣ୍ଟାଣ୍ଟ ବିନିତ ମହାପାତ୍ର ପୁରସ୍କାର ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ, ନିଶାଦ୍ରବ୍ୟ ସେବନକାରୀ ଓ ମାନସିକ ରୋଗୀଙ୍କ ପୁନର୍ବାସ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ ଚଳିତ ବର୍ଷ ୯୯ତମ ସ୍କଚ୍ ସମିଟ୍ରେ ରାଜ୍ୟକୁ ‘ସ୍କଚ୍ ଆୱାର୍ଡ଼’ ପ୍ରଦାନ କରାଯାଇଛି। ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ଏହି ‘ସ୍କଚ୍ ଆୱାର୍ଡ଼’ ରାଜ୍ୟ ପାଇଁ ଗର୍ବ ଓ ଗୌରବ ସହିତ ଏବଂ ଏହା ବିଭାଗକୁ ଅଧିକ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।