ଭୂବନେଶ୍ୱର : ଚଳିତ ବର୍ଷ ପାଇଁ କ୍ରୀଡା ବିଭାଗର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’ ଘୋଷଣା ହୋଇସାରିଛି। ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ରବିବାର ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକ ପରେ ସର୍ବସମ୍ମତିକ୍ରମେ ପ୍ରତ୍ୟାଶା ରାୟଙ୍କ ନାମ ଘୋଷଣା କରାଯାଇଛି। ଏଥିସହିତ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡ୍ମିଣ୍ଟନ ଖେଳାଳି ତାନ୍ଭି ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପ୍ରତ୍ୟାଶାଙ୍କୁ ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ଏବଂ ମୃତ୍ୟୁମ୍ ଜୟରାମ ଓ ତାନ୍ଭି ପତ୍ରୀଙ୍କୁ ଦେଢ଼ ଲକ୍ଷ ଲକ୍ଷ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ ‘ଏକଲବ୍ୟ ପୁରସ୍କାର’ ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ‘ଇମ୍ଫା’ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲସ୍ ପବ୍ଳିକ୍ ଚାରିଟେବଲ୍ ଟ୍ରଷ୍ଟ’ (ଇମ୍ପାକ୍ଟ) ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରିଥିଲା। ଏହା ଓଡ଼ିଶାର ଏକ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଚିତ ହୋଇଥିବା ବେଳେ କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।