ମୁମ୍ବଇ: ଓସ୍କାର ୨୦୨୫ରେ ଭାରତର ଅଫିସିଆଲ ଏଣ୍ଟି୍ର ହେବାକୁ ଯାଉଛି ଲାପତା ଲେଡିଜ । ଏହାକୁ ନେଇ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି ଅଭିନେତା ରବି କିଶନ । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ତାଙ୍କର ସୁଟିଂ ଅନୁଭୂତି ସମ୍ପର୍କରେ ସ୍ମୃତିଚାରଣ କରିବା ସହିତ ଚଳଚ୍ଚିତ୍ରଟି କାହିଁକ ‘ପ୍ରକୃତ ଭାରତ’ର ତାହା ମଧ୍ୟ ପ୍ରକାଶ କରିଛନ୍ତି । ‘ଲାପତା ଲେଡିଜ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରବି କିଶନ । ଗୋରଖପୁର ଆସନରୁ ସାଂସଦ ରହିଥିବା ରବି କହିଛନ୍ତି ଓସ୍କାରର ଚୂଡାନ୍ତ ପ୍ରଦର୍ଶନରେ ଏହି ଚଳଚ୍ଚିତ୍ର ବିଜୟୀ ହେବା ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି । ଏବେ ଏହା ଅଫିସିଆଲ ଏଣ୍ଟ୍ରି ପାଇବା ପରେ ତାଙ୍କ ପାଖକୁ ବହୁସଂଖ୍ୟାରେ ଫୋନ କଲ ଆସୁଛି ।
ରବିଙ୍କ କହିବା ଅନୁଯାୟୀ ଏହା ତାଙ୍କ ନିମନ୍ତେ ଏକ ସ୍ୱପ୍ନ ସାକାର ହେବାଭଳି ହୋଇଛି । ଏହା ତାଙ୍କ ପାଇଁ ସର୍ବବୃହତ ଗୌରବ ହୋଇଛି ଏବଂ ଫିଲ୍ମ ଏତେବାଟ ଯିବ ବୋଲି ସେ କେବେ ଭାବିନଥିଲେ । ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଏବଂ ସର୍ବବୃହତ ବିଷୟ ହୋଇଛି । ଚଳଚ୍ଚିତ୍ରରେ ଭାରତର ପ୍ରତିଫଳନ ଘଟିଛି ଏବଂ ଏହା ଅତି ସୁନ୍ଦର ଉପାୟରେ ମହିଳା ସଶକ୍ତିକରଣ କଥା କହୁଛି । ସୂଚନାଯୋଗ୍ୟ ଯେ ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି ‘ଲାପତା ଲେଡିଜ’ରେ ଶ୍ୟାମ ମନୋହର ଭୂମିକାରେ ଅଭିନୟ କରିଛନ୍ତି । କିରଣ ରାଓ ଫିଲ୍ମର ନିର୍ଦେଶନା ଦେଇଛନ୍ତି । ଅମିର ଖାନ୍ ଶ୍ୟାମ ମନୋହର ଭୂମିକାରେ ଅଭିନୟ କରିବାକୁ ଚାହିଁଥିଲେ; କିନ୍ତୁ କିରଣ ତାଙ୍କୁ ଏଥିପାଇଁ ମନୋନୀତ କରିଥିଲେ । ସେଥିପାଇଁ ସେ ଉଭୟ ଅମିର ଓ କିରଣଙ୍କୁ ଧନ୍ୟବାଦ ଦେଉଛନ୍ତି । କାରଣ ଅମିର ଖାନ୍ ଏହାର ପ୍ରଯୋଜକ ରହିଛନ୍ତି । ରବି କିଶନଙ୍କ ବ୍ୟତୀତ ଏହି ଫିଲ୍ମରେ ନିତାଂଶୀ ଗୋଏଲ, ପ୍ରତିଭା ରାନତା ଏବଂ ସ୍ପର୍ଶ ଶ୍ରୀବାସ୍ତବ ପ୍ରମୁଖ ଅଭିନୟ କରିଛନ୍ତି । ଲାପତା ଲେଡିଜ ମାର୍ଚ୍ଚ ୧ରେ ଥିଏଟରରେ ମୁକ୍ତିଲାଭ କରିଥିଲା । କିନ୍ତୁ ଏପ୍ରିଲରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବା ପରେ ଏହାର ଲୋକପ୍ରିୟତା ବଢିଯାଇଛି ।