ଭୁବନେଶ୍ୱର: ରବିବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି। ବଙ୍ଗୋପସାଗର ଉପରେ ଏହା ୫.୮ କିମି ଉଚ୍ଚତାରେ ସକ୍ରିୟ ରହିଥିବା ବେଳେ ଆଗାମୀ କିଛି ସମୟ ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୩ ଘଣ୍ଟାରେ ରାଜ୍ୟର କିଛି ଅଂଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ମଙ୍ଗଳବାର ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ହେବା ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ସେହିପରି ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପଣିଆପାଗ ବିଭାଗ। ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ୬୪.୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ୪୭.୦ ଓ ଭଞ୍ଜନଗରରେ ୩୩.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।