ୱାଶିଂଟନ: କ୍ୱାଡ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଆମେରିକା ଗସ୍ତରେ ଯାଇଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନୁ୍ୟୟର୍କରେ ଭେଟିଛନ୍ତି । ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ମୋଦୀ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧର ଯଥାଶୀଘ୍ର ଅନ୍ତ ଘଟାଇବା ଏବଂ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ଭାରତ ଚାହୁଁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
‘ଏକ୍ସ’ରେ ପୋଷ୍ଟ କରି ମୋଦୀ ଜେଲେନସ୍କିଙ୍କ ସହିତ ତାଙ୍କ ସାକ୍ଷାତର ଫଟୋ ସେୟାର କରିଛନ୍ତି । ସେ କହିଛନ୍ତି, ଗତ ମାସରେ ୟୁକ୍ରେନକୁ ତାଙ୍କର ଗସ୍ତ କାଳରେ ଦୁଇପକ୍ଷ ମଧ୍ୟରେ ହୋଇଥିବା ଆଲୋଚନାର ନିଷ୍କର୍ସ କାର୍ଯ୍ୟକାରୀ କରିବାକୁ ସେ ଓ ଜେଲେନସ୍କି ପ୍ରତିବଦ୍ଧ ଅଛନ୍ତି । ତାଙ୍କର ଗସ୍ତ କାଳରେ ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବାକୁ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ସାକ୍ଷାତ ଆଲୋଚନା ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏହା ତିନିମାସ ମଧ୍ୟରେ ମୋଦୀ ଓ ଜେଲେନସ୍କିଙ୍କ ମଧ୍ୟରେ ତୃତୀୟ ସାକ୍ଷାତ ଥିଲା । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ସମ୍ପର୍କରେ ପ୍ରକାଶ କରି ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଆଲୋଚନାରେ ଦ୍ୱିପାକ୍ଷିକ ପ୍ରସଙ୍ଗ ସହିତ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇଥିଲା ।