ପାଣାଜି: ମଙ୍ଗଳବାରଠାରୁ ଗୋଆରେ ଦୁଇଦିନିଆ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୬ ଜଣିଆ ମନ୍ତ୍ରୀସ୍ତରୀୟ ପ୍ୟାନେଲ ଶହେରୁ ଅଧିକ ଉତ୍ପାଦ ଉପରେ ସାମଗ୍ରୀ ଓ ସେବା କର (ଜିଏସ୍ଟି) ହାରର ସମୀକ୍ଷା କରିବେ। ଏହି କାର୍ଯ୍ୟକ୍ରମରେ ସାର, ହସ୍ତତନ୍ତ ଏବଂ ବୀମା ଉପରେ ଜିଏସ୍ଟି ହାରର ସମୀକ୍ଷା ହେବା ନେଇ ସୂଚନା ମିଳିଛି। ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଜିଏସ୍ଟି ପରିଷଦ ବୈଠକରେ ଏହି ମନ୍ତ୍ରୀସ୍ତରୀୟ ପ୍ୟାନେଲର ପ୍ରସ୍ତାବ ଉପସ୍ଥାପିତ ହେବ। ଏହି ୬ ଜଣିଆ ମନ୍ତ୍ରୀସ୍ତରୀୟ ପ୍ୟାନେଲରେ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା, ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂ ଖୀମସାର ଓ କେରଳର ଅର୍ଥମନ୍ତ୍ରୀ କେ ଏନ ବାଲାଗୋପାଳ ଅଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଜିଏସ୍ଟିର ଚାରିସ୍ତରୀୟ ଟିକସ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଯଥାକ୍ରମେ ୫%, ୧୨%, ୧୮% ଓ ୨୮% ସ୍ଲାବ୍ ରହିଥିବା ବେଳେ ୧୨% ଓ ୧୮% ସ୍ଲାବ୍ର ଏକତ୍ରୀକରଣ ପାଇଁ ଆଲୋଚନା ଚାଲିଛି। ଅତ୍ୟାବଶ୍ୟକୀୟ ବ୍ୟବହାର ସାମଗ୍ରୀ ଉପରେ ସର୍ବନିମ୍ନ ଜିଏସଟି ଲାଗୁ ହେଉଥିବା ବେଳେ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ବହିସ୍କୃତ ସାମଗ୍ରୀ ପାଇଁ ଏହା ସର୍ବାଧିକ ରହିଥାଏ। ସେହିପରି ହାନିକାରକ ଦ୍ରବ୍ୟ ଉପରେ ଏହା ୨୮% ଲାଗୁ ହୋଇଥାଏ।