ନୂଆଦିଲ୍ଲୀ: ସମଗ୍ର ଭାରତରୁ ୧୫୦ ଜଣ ଯୁବ ଉଦ୍ୟୋଗୀଙ୍କର ତାଲିକା ପ୍ରକାଶ ପାଇଛି; ଯେଉଁମାନଙ୍କର ବୟସ ସର୍ବାଧିକ ୩୫ ବର୍ଷ। ଏହି ତାଲିକାର ଶୀର୍ଷରେ ଇଶା ଓ ଆକାଶ ଅମ୍ବାନି ଏବଂ ଅଲଖ ପାଣ୍ଡେ ରହିଛନ୍ତି। ସେମାନଙ୍କ ନିଜସ୍ୱ ଶିଳ୍ପଗୁଡିକ ନିମନ୍ତେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ହୁରୁନ ଶ୍ରେଷ୍ଠ ଯୁବ ଉଦ୍ୟୋଗୀ ତାଲିକାରେ ସେମାନଙ୍କୁ ସ୍ଥାନିତ କରାଯାଇଛି। ୨୦୨୪ ବର୍ଷ ନିମନ୍ତେ ପ୍ରକାଶିତ ଏହି ତାଲିକା ପ୍ରଥମ ପିଢି ଉଦ୍ୟୋଗୀଙ୍କ ଉଦ୍ୟୋଗର ମୂଲ୍ୟାୟନ ୫୦ ନିୟୁତ ଆମେରିକୀୟ ଡଲାର ଏବଂ ପରବର୍ତ୍ତୀ ପିଢି ନିମନ୍ତେ ୧୦୦ ନିୟୁତ ଡଲାର ମୂଲ୍ୟାୟନ ଆଧାରରେ ପ୍ରସ୍ତୁତ କରାଯାଇଛି।
ରିଲାଏନ୍ସ ରିଟେଲର ଅଣ ଏକଜିକ୍ୟୁଟିଭ ଡାଇରେକ୍ଟର ଥିବା ଇଶା ଅମ୍ବାନି ଏବଂ ଟଡଲର ପରିତା ପାରେଖଙ୍କୁ ଯୁବ ମହିଳା ଉଦ୍ୟୋଗୀ ତାଲିକାରେ ସ୍ଥାନ ଦିଆଯାଇଛି। ୩୨ ବର୍ଷ ବୟସ୍କା ଇଶା ଅମ୍ବାନିଙ୍କର ରିଲାଏନ୍ସ ରିଟେଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତାଙ୍କୁ ଭାରତର ସର୍ବାଧିକ ପ୍ରଭାବଶାଳୀ ବ୍ୟବସାୟିକ ବ୍ୟକ୍ତିତ୍ୱ ଭାବରେ ସ୍ଥାନିତ କରିଛି। ପରିତା ପାରେଖଙ୍କୁ ମଧ୍ୟ ୩୨ ବର୍ଷ। ସେ ଶିକ୍ଷାଦାନକାରୀଙ୍କ ପାଇଁ ଏକ ପ୍ଲାଟଫର୍ମ ଟଡଲ ପରିଚାଳନା କରୁଛନ୍ତି, ଯାହା ଶିକ୍ଷା ପ୍ରଯୁକ୍ତିରେ ତାଙ୍କ ନେତୃତ୍ୱକୁ ପ୍ରତିପାଦିତ କରୁଛି। ୩୫ ବର୍ଷରୁ କମ୍ ୨୦୨୪ ହୁରୁନ୍ ଇଣ୍ଡିଆ ତାଲିକାରେ ଅନ୍ୟ ସାତଜଣ ମହିଳା ଉଦ୍ୟୋଗୀ ମଧ୍ୟ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଅନେରି ପଟେଲ, ଅନିଶା ତିୱାରୀ ଏବଂ ଅଞ୍ଜଳି ମର୍ଚ୍ଚାଣ୍ଟ। ଏମାନଙ୍କ ବୟସ ୩୩ରୁ ୩୪ ମଧ୍ୟରେ। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ତାଲିକାରେ ସ୍ଥାନ ପାଇଥିବା ଉଦ୍ୟୋଗୀଙ୍କ ମଧ୍ୟରୁ ୮୨% ପ୍ରଥମ ପିଢିର ବ୍ୟବସାୟିକ ନେତୃତ୍ୱ ଅଟନ୍ତି। ମୋଟ ୧୫୦ ଉଦ୍ୟୋଗୀଙ୍କ ମଧ୍ୟରୁ ୧୨୩ ଜଣ ତୃଣମୂଳ ସ୍ତରରୁ ସେମାନଙ୍କର କମ୍ପାନୀ ଆରମ୍ଭକ କରି ନିଜର ଔଦ୍ୟୋଗିକ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ସେହିଭଳି ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ ଆକାଶ ଅମ୍ବାନି ତାଲିକାର ୩୨ତମ ସ୍ଥାନରେ ରହିଛନ୍ତି।