ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ହସ୍ତକଳା କ୍ଷେତ୍ର ଉତ୍ସବ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ କଟକ ଜିଲା ଅନ୍ତର୍ଗତ ହସ୍ତତନ୍ତ ତଥା ବୟନ କଳା ଓ ଏହାର କୁଶଳୀ କାରିଗରଙ୍କ ଗ୍ରାମ ମାଣିଆବନ୍ଧ ପୁରସ୍କୃତ ହୋଇଛି। ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ବ୍ଳକ ଅନ୍ତର୍ଗତ ମାଣିଆବନ୍ଧ ଗ୍ରାମ ପ୍ରାଚୀନ ହସ୍ତତନ୍ତ ବୟନ କାରିଗରୀ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଛି। ଏହି ଗ୍ରାମରେ ୮୦% ଲୋକ ଜୀବନ ନିର୍ବାହ ପାଇଁ ହସ୍ତତନ୍ତ ବୟନ ଉପରେ ନିର୍ଭରଶୀଳ। ଏହି ଗ୍ରାମର ପ୍ରାୟ ୧୨୦୦ ବୁଣାକାର ପରିବାର ଗ୍ରାମରେ ବୟନ ବୃତ୍ତିରେ ନିୟୋଜିତ ଥିବା ବେଳେ ଏଠାରେ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମର ସମନ୍ବୟରେ ବୟନ ପ୍ରସିଦ୍ଧି ସୃଷ୍ଟି କରି ପାରିଛି। ପାଟ ଏବଂ ରେଶମରେ ଧୋତି, ଯୋଡ଼, ଖଣ୍ଡୁଆ, ତାରାବଳି, କୁମ୍ଭ, ବୁଟି ଆଦି ପ୍ରାୟ ୫୦ ରୁ ଅଧିକ ପ୍ରକାରର ଉତ୍କୃଷ୍ଟ ମାଣିଆବନ୍ଧି ବସ୍ତ୍ର ସାମଗ୍ରୀ ଉତ୍ପାଦନ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି। ବୟନ ପର୍ଯ୍ୟଟନ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଏବଂ ପର୍ଯ୍ୟଟନ ମାଧ୍ୟମରେ ସ୍ଥାୟୀ ଗ୍ରାମୀଣ ବିକାଶ ପାଇଁ ମାଣିଆବନ୍ଧ ଏକ କ୍ଷେତ୍ର ସୃଷ୍ଟି କରିଛି।
ପ୍ରକାଶଥାଉ କି, ସାଂସ୍କୃତିକ ପ୍ରସିଦ୍ଧି ଓ ପ୍ରାକୃତିକ ସମ୍ପଦ ସହିତ ଗୋଷ୍ଠୀଗତ ଜୀବନଶୈଳୀକୁ ସଂରକ୍ଷଣ କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସର୍ବୋତ୍ତମ ପର୍ଯ୍ୟଟନ ଗ୍ରାମର ସମ୍ମାନ ପ୍ରଦାନ କରିଆସୁଛନ୍ତି। ୨୦୨୩ ମସିହାରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ସମ୍ମାନ ପ୍ରତିଯୋଗିତା ପ୍ରଚଳନ କରାଯାଉଥିବା ବେଳେ ଚଳିତ ବର୍ଷ ୩୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୯୯୧ ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରେ ୩୬ ଗୋଟି ଗ୍ରାମ ପର୍ଯ୍ୟଟନର ୮ଟି ବର୍ଗରେ ବିଜେତା ଭାବେ ମାନ୍ୟତା ପାଇବା ସହ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।