ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ରେ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ଏହି ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ଏହି ଅବସରରେ ଉଚ୍ଚଶିକ୍ଷା ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖାଲି ପଡିରହିଥିବା ଅଧ୍ୟାପକ ପଦବୀ ଗୁଡିକ ଶୀଘ୍ର ପୂରଣ ହେବା ଦିଗରେ ପଦକ୍ଷେପ ନେବା ପାଇଁ ମତପ୍ରକାଶ କରିବା ସହିତ ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ରେ ସଂଶୋଧନ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ଵ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୧୦୦ ଦିନ ମଧ୍ୟରେ ନୀତିଗତ ଭାବେ ନିଷ୍ପତି ନେବା ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଗୁଡିକୁ ଶିକ୍ଷାବିତ୍ ମାନଙ୍କ ଦ୍ୱାରା ଗଠିତ କମିଟିର ନିଷ୍ପତ୍ତି ମାଧ୍ୟମରେ ଯେପରି ଯଥାଶୀଘ୍ର ପୂରଣ କରାଯିବ ସେ ଦିଗରେ ସରକାରଙ୍କ ତରଫରୁ ଯଥୋଚିତ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଥିଲେ।
ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷିତୀଶ ଭୂଷଣ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ, ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମାଧବ ଚନ୍ଦ୍ର ଦାସ, ପ୍ରଫେସର ସୂର୍ଯ୍ୟ ମିଶ୍ର, ପ୍ରଫେସର କୁଞ୍ଜ ବିହାରୀ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ପ୍ରଫେସର (ଡ଼.) ବସନ୍ତ କୁମାର ପଣ୍ଡା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏବଂ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।